ବାରାଣାସୀ- ଶ୍ରୀ କାଶୀ ବିଶ୍ଵନାଥ ମନ୍ଦିରର ଗର୍ଭଗୃହ ବାହାରେ ଥିବା ପୂର୍ବ ଗେଟ୍ ଉପରେ ଲାଗିଥିବା ବିଦ୍ୟୁତ ତାରରୁ ଗୁରୁବାର ସକାଳେ ସର୍ଟସର୍କିଟ୍ ରୁ ନିଆଁ ଲାଗିଥିଲା । ମନ୍ଦିର ପ୍ରଶାସନ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନଙ୍କୁ ତୁରନ୍ତ ସେଠାରୁ ହଟାଇ ବିଦ୍ୟୁତ ସଂଯୋଗ କାଟି ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ କରିଥିଲେ । ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ।
ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଭୋର୍ ସକୟରେ ମନ୍ଦିର ଗର୍ଭଗୃହରେ ମଙ୍ଗଳ ଆଳତୀ ପରେ ହଠାତ୍ ଗର୍ଭଗୃହ ବାହାରେ ପୂର୍ବ ଦ୍ୱାର ଉପରେ ଲାଗିଥିବା ବିଦ୍ୟୁତ ତାରରେ ସର୍ଟସର୍କିଟ୍ ରୁ ନିଆଁ ଲାଗିଥିଲା । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଭକ୍ତ ମାନେ ପାଟିତୁଣ୍ଡ କରିଥିଲେ । ମନ୍ଦିର ପ୍ରଶାସନ ସୁରକ୍ଷା କର୍ମୀଙ୍କ ସହାୟତାରେ ଶ୍ରଦ୍ଧାଳୁ ମାନଙ୍କୁ ସେଠାରୁ ହଟାଇବା ସହ ତତ୍କାଳ ବିଦ୍ୟୁତ ସଂଯୋଗ କାଟିଥିଲେ । ଏହାପରେ ନିଆଁ ଲିଭା ଯାଇଥିଲା । ମନ୍ଦିରରେ ମୁତୟନ ଥିବା ବିଦ୍ୟୁତ କର୍ମୀ ତାର ବଦଳାଇ ଏହାର ମରାମତି କରିଛନ୍ତି । ପ୍ରାୟ ୧୫ ମିନିଟ୍ ଧରି ବିଦ୍ୟୁତ କଟାଯାଇଥିବାରୁ ମନ୍ଦିରର ଗର୍ଭଗୃହ ଏବଂ ଆଖପାଖ ଅନ୍ଧକାର ହୋଇପଡିଥିଲା ।