ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି ବୋଲି କହିଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି । ସେ ବାଲେଶ୍ୱର ବନ୍ୟା ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତିନୋଟି ନଦୀରେ ଜଳସ୍ତର ବଢ଼ିଛି । ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକର ୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଛି । ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ବେଶୀ ପ୍ରଭାବିତ ହୋଇଛି ।
ସେ କହିଛନ୍ତି ଯେ ତଳିଆ ଅଞ୍ଚଳରୁ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି । ଉଦ୍ଧାର କାର୍ଯ୍ୟରେ ୮ ଅଗ୍ନିଶମ, ୩ ଓଡ୍ରାଫ୍, ୧ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସ୍ଥାୟୀ ପ୍ରତିକାର ପାଇଁ ରୋଡ୍ ମ୍ୟାପ୍ କରିବାକୁ ଇଆଇସିଙ୍କୁ କୁହାଯାଇଛି ।
ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ଆଜି ଏକ ବୈଠକରେ ସମୀକ୍ଷା ମଧ୍ୟ କରିଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ହୋଇଥିଲେ .।
ଏହି ବୈଠକରେ ସ୍ଥାନୀୟ ସାଂସଦ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସମସ୍ତ ସୁବିଧା ସୁଯୋଗ, ଉତ୍ତମ ସ୍ୱାସ୍ଥ୍ୟସେବା ଓ ରିଲିଫ ସହାୟତା ତ୍ୱରିତ ଗତିରେ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପୀଡିତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗେଇ ଦେବା ଆମ ସରକାରଙ୍କ ପ୍ରାଥମିକତା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି ।