ମୁମ୍ୱାଇ- ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଆସନ୍ତାକାଲି ଠାରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଶିରିଡ଼ି ସାଇବାବା ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମଭୂମି ମହାରାଷ୍ଟ୍ରର ପାଥରୀ ବୋଲି କହିବା ପରେ ଏହି ବିବାଦ ବଢ଼ିଛି । ଉଦ୍ଧବଙ୍କ ଏହି ମନ୍ତବ୍ୟ ପରେ ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଆଇନଗତ ଲଢେ଼ଇ ପାଇଁ ଚେତାବନୀ ଦେଇଛନ୍ତି । ଉଦ୍ଧବ ଠାକରେ ଏଭଳି ମନ୍ତବ୍ୟ ଦେବା ପରେ ଶିରିଡି ଗାଁଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସାଇ ଟ୍ରଷ୍ଟର ସଦସ୍ୟ କହିଛନ୍ତି, ପାଥରୀରେ ମୁଖ୍ୟମନ୍ତ୍ରୀ ଯଦି ବିକାଶ ·ହୁଁଛନ୍ତି ତା’ହେଲେ କୌଣସି ଆପତି ନାହିଁ । ହେଲେ ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ଠିକ୍ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସାଇ ଭକ୍ତ ନିରାଶ ହୋଇଛନ୍ତି । ସ୍ଥିତି ଏମିତି ଉପୁଜିଛି ଯେ ଶିରିଡି ସାଇକୁ ବନ୍ଦ କରିବା ପାଇଁ ବାଧ୍ୟ ହେଉଛୁ ବୋଲି ସେ କହିଛନ୍ତି ।ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ବିଜେପି ଘେରିଛି । ବିଜେପି ସାଂସଦ ସୁଜୟ ଭିଖେ ପାଟିଲ କହିଛନ୍ତି, ପାଥରୀ ସାଇବାବାଙ୍କ ଜନ୍ମଭୂମି ନୂଆ ସରକାର ଆସିବା ପରେ କହିଛନ୍ତି । ଶିରିଡ଼ି ବାସୀ ଏହାକୁ ନେଇ ଆଇନଗତ ଲଢେ଼ଇ କରିପାରନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଚୌହ୍ୱାନ କହିଛନ୍ତି, ଜନ୍ମଭୂମିକୁ ନେଇ ବିବାଦ ବଢ଼ିବା ପରେ ପାଥରୀରେ ଶ୍ରଦ୍ଧାଳୁଙ୍କୁ ଦିଆଯିବାକୁ ଥିବା ସୁବିଧା ସୁଯୋଗକୁ ବିରୋଧ ନହେବା ଦରକାର ।ସୂଚନାଯୋଗ୍ୟ, ପରଭଣୀ ଜିଲ୍ଲାର ପାଥରୀ ଶିରିଡି ପାଖରୁ ୨୭୫ କିଲୋମିଟର ଦୂର । ଠାକରେ ଏବେ ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ସହିତ ଏଠିକାର ବିକାଶ ପାଇଁ ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ।