କନ୍ଧମାଳ– ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସୁଭଦ୍ରା’ର ଶୁଭାରମ୍ଭ ଆଜି ହୋଇଯାଇଛି । ଏହି କ୍ରମରେ ସ୍ଥାନୀୟ କରୋନେସନ ପଡ଼ିଆରେ ଫୁଲବାଣୀ ବ୍ଲକ ଓ ଫୁଲବାଣୀ ପୌରାଞ୍ଝଳର ମିଳିତ ସହଯୋଗରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଫୁଲବାଣୀ ପଞ୍ଚାୟତ ସମିତି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅଧିନରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଓ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ସହିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଗୃହ ସମ୍ପୂର୍ଣ୍ଣ ହୋଇଥିବା ହିତାଧିକାରୀଙ୍କୁ ଗୃହ ପ୍ରବେଶ ପାଇଁ ଚାବି ବଣ୍ଟନ କରାଯାଇଥିବାବେଳେ ଏହି ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ ଶୁଭଦ୍ରା ଯୋଜନା ଅଧିନରେ ଥିବା ଯୋଗ୍ୟ ହିତାଧିକାରୀ ଓ ଯୋଗ୍ୟତା ମାନଦଣ୍ଡ ଉପରେ ଆଲୋଚନା କରିଥିଲେ । ଯେଉଁ ଯୋଗ୍ୟ ହିତାଧିକାରୀମାନେ ଆବେଦନ କରିପାରିନାହାଁନ୍ତି ସେମାନେ ଆବଶ୍ୟକ କାଗଜପତ୍ର ଦାଖଲ କରି ଆବେଦନ କରି ଚଳିତ ବର୍ଷରେ ଶୁଭଦ୍ରା ଅଧୀନରେ ଲାଭ ପାଇବା ପାଇଁ ପରାମର୍ଶ ଦେଇଥିଲେ । ଯେଉଁ ମହିଳାମାନେ ନିଜ ଜମିରେ କିମ୍ବା ବାଡ଼ିରେ ପନିପରିବା କରି ଜୀବିକା ନିର୍ବାହ କରୁଛନ୍ତି ସେମାନେ ଏହି ଟଙ୍କାକୁ ସେଥିରେ ଖଟାଇପାରିଲେ ଅଧିକ ଲାଭବାନ ହୋଇପାରିବେ । ଆଉ ଯେଉଁମାନେ ଗୃହିଣୀ ଅଛନ୍ତି ସେମାନେ ଚାହିଁଲେ ନିଜେ କିମ୍ବା ଗୋଷ୍ଠୀଗତ ଭାବରେ କିଛି ରୋଜଗାର ପାଇଁ ଏହାକୁ ମୂଳଧନ ଆକାରରେ ବିନିଯୋଗ କରିପାରିବେ । ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଋତୁରାଜ୍ କହିଥିଲେ । କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଆଦିତ୍ୟ କହଁର ଏବଂ ଫୁଲବାଣୀ ବିଧାୟକଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ମହାନ୍ତି କହିଲେ, ମହିଳାମାନଙ୍କର ସାମଗ୍ରିକ କଲ୍ୟାଣ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିକାଶ ପାଇଁ ଏହି ଯୋଜନାର ମୂଳ ଲକ୍ଷ୍ୟ । ପ୍ରଧାନ ମନ୍ତ୍ରୀ ଗତବର୍ଷ ଆଜିର ଦିନରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଆଜି ସୁଭଦ୍ରା’ର ଶୁଭାରମ୍ଭ କରିଛନ୍ତି । ସୁଭଦ୍ରା ଯୋଜନା ପାଇଁ କୌଣସି ଲିଙ୍କ୍ ଆସୁନାହିଁ । ଯଦି କୌଣସି ଆବଦେନକାରୀ ସେହି ଲିଙ୍କ୍କୁ କ୍ଲିକ୍ କରିଦେବେ ତେବେ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଚାଲିଯିବାର ସମ୍ଭାବନା ଅଛି । ସେଥିପାଇଁ ସତର୍କ ରହିବା ପାଇଁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ଆବେଦନ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଜମାହେବ ସେଥିପାଇଁ ବ୍ୟସ୍ତ ନ ହେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ରାଜ୍ୟସ୍ତରୀୟ ସୁଭଦ୍ରା’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମ ଜିଲ୍ଲାରୁ ୧୦୦ ଜଣ ମା’ମାନଙ୍କୁ ନେଇ ୫ ଜଣ ଅଧିକାରୀ ଗତକାଲି ରାତିରୁ ଭୁବନେଶ୍ୱର ଗ୍ରସ୍ତ କରିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟାଲକ୍ଷ୍ମୀ ବେହେରାଙ୍କ ସୂଚନାରୁ ଜଣାପଡ଼ିଛି ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ ତାଙ୍କ ପ୍ରାରମ୍ଭିକ ସଂଭାଷଣରେ ସୁଭଦ୍ରା ଯୋଜନା ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହିତ ସ୍ୱଚ୍ଛତା ରଖିବା ଉଦେ୍ଦଶ୍ୟରେ ଶପଥ ପାଠ କରାଇଥିଲେ । ଫୁଲବାଣୀ ବ୍ଲକ ପ୍ରକଳ୍ପ ମ୍ୟାନେଜର, ଓଡ଼ିଶା ଜୀବିକା ମିଶନ ଶ୍ରୀ ସୁଶାନ୍ତ କୁମାର ଲେଙ୍କା ସଭା ପରିଚାଳନା କରିଥିବାବେଳେ ଫୁଲବାଣୀ ବ୍ଲକ ମିଶନଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଦିପ୍ତିମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ପ୍ରତୀକ କୁମାର ସାହୁ, ସି.ଡି.ପି.ଓ., ଫୁଲବାଣୀ ବ୍ଲକ ଶ୍ରୀମତୀ ବୈଜୟନ୍ତି ମଲ୍ଲିକ, ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ଏବଂ ପ୍ରାୟ ୪ ହଜାର ମହିଳା ଯୋଗ ଦେଇଥିଲେ ।