ପୁରୀ- ରବିବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଓ ସୁନିଆଁ ପାଳିତ ହେଉଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମ ନୀତି ଅନୁଷ୍ଠିତ ହେଉଛି । ଏଥିପାଇଁ ମଧ୍ୟାହ୍ନ ଧୂପ ପରେ ସର୍ବସାଧାରଣ ଦର୍ଶନ ୩ ଘଂଟା ପାଇଁ ବନ୍ଦ ରହିବ । ଅପରାହ୍ନ ୫ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଆଜି ସକାଳ ଧୂପ ପୂଜା ବଢିବା ପରେ ଶ୍ରୀଜୀଉ ମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବା ପରେ ପୂର୍ବ ଦିନ ଅଧିବାସ ହୋଇଥିବା ଯଜ୍ଞ ପବିତା ଲାଗି ହୋଇଥିଲା । ଏହାପରେ କର୍ପୁର ଲାଗି ହୋଇ ବେଶ ବଢିବା ପରେ ମଧ୍ୟାହ୍ନ ଧୂପ ଭୋଗ ହୋଇଥିଲା । ଏହାପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଛି । ଚନ୍ଦନ ଅର୍ଗଳି ଠାରେ ଶୁଦ୍ଧସୁଆର ସେବକ ପଂଚ ମୁରୁଜରେ ମଣ୍ଡଳ କାଟିବେ । ଏହାପରେ ତିନି ବାଡ଼ରେ ବନ୍ଦାପନା ଓ ବରୁଣ ପୂଜା ଅନୁଷ୍ଠିତ ହେବ । ଏହାପରେ ମୁଦିରସ୍ତ ଓ ପତିମହାପାତ୍ର ବ୍ରହ୍ମା ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣୀ ଘର ଭୋଗ ସରିବା ପରେ କୃଷ୍ଣ ମହାଜନ ସେବକଙ୍କ ଦ୍ୱାରା ରତ୍ନସିଂହାସନ ବିଜେ କରିବେ । ସେଠାରେ ଧଣ୍ଡି ମହାପ୍ରସାଦ ଲାଗି ହେବ । ଏହାପରେ ଦେଉଳ ବନିଆଁ ଯୋଗାଇଥିବା ସୁବର୍ଣ୍ଣ ବାମନ ମୂର୍ତି ସର୍ବତ୍ରଭଦ୍ରମଣ୍ଡଳ ଉପରେ ବିଜେ କରିବେ । ତାପରେ କୃଷ୍ଣଙ୍କୁ ଏହି ଭଦ୍ର ମଣ୍ଡଳରେ ବିଜେ କରାଯିବ । ପଂଚାମୃତରେ ଦିଅଁଙ୍କୁ ସ୍ନାନ କରାଇ ଶୀତଳଭୋଗ ହୋଇ ପଂଚ ଉପଚାରରେ ଗର୍ଭଉଦକ ନୀତି, ଜନ୍ମବିଧିମାନ ସମାପନ ହେବ । ଏହାପରେ ପାଳିଆ ମହାସୁଆର କ୍ଷୀର, ଲହୁଣୀ ମଣୋହି କରିବାକୁ ପୂଜାପଣ୍ଡାଙ୍କୁ ଦେବେ । ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିବେ । ତତ୍ପରେ ମହାଜନ ସେବକ ଦିଅଁଙ୍କ ହସ୍ତରେ ବିଜେ କରାଇ ଜୟ ବିଜୟ ଦ୍ଵାର ନିକଟକୁ ନେବେ । ଦିଅଁଙ୍କୁ ମାଜଣା ମଣ୍ଡପ ଖଟ ଉପରେ ବିଜେ କରାଯିବ । ଏହାପରେ ପତିମହାପାତ୍ର ଭଣ୍ଡାର ଘରୁ ରୂପା ବଟାରେ ଶ୍ରୀ ଦୁର୍ଗାଙ୍କୁ ରତ୍ନସିଂହାସନ ବିଜେ କରାଇବେ । ସେଠି ପୂଜାପଣ୍ଡା ଆଜ୍ଞା ମାଳ ଦେଲାପରେ ଦେବୀ ଦୁର୍ଗା ମାଜଣା ମଣ୍ଡପକୁ ବିଜେ କରିବେ । ପୂଜାପଣ୍ଡା ବସୁଧରା, ଯଜ୍ଞ ପବିତ୍ରା ଲାଗି କରିବେ । ଏହାପରେ ପାଣି ପଡି ଶୀତଳ ଭୋଗ ପନ୍ତି ବଢ଼ା ହେବ । ଦୁଧ ମଣୋହି କରି ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଂଚଉପଚାରରେ ଭୋଗ କରିବେ । ଏହାପରେ ପ୍ରସାଦ ଉଲାଗି ହୋଇ କୃଷ୍ଣ(ବାମନ) ଦକ୍ଷିଣୀ ଘରକୁ ଏବଂ ଶ୍ରୀଦୁର୍ଗା ଭଣ୍ଡାର ଘରକୁ ବାହୁଡ଼ିବେ ।
ଭାଦ୍ରବ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିର ମଧ୍ୟାହ୍ନରେ ନାରାୟଣ ବାମନ ରୂପରେ ଆବିର୍ଭୂତ ହୋଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ଭାବେ ଅଭିହିତ କରାଯାଇ ଉକ୍ତ ଆବିର୍ଭାବ ତିଥିରେ ଶ୍ରୀମନ୍ଦିରରେ ଜନ୍ମ ନୀତି ପାଳିତ ହୋଇଥାଏ । ଏହିଦିନ ସକାଳ ଧୂପ ପୂଜା ଶେଷ ହେବା ପରେ ଠାକୁରମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହୋଇ ପୂର୍ବ ଦିନରୁ ଅଧିବାସ ହୋଇଥିବା ପବିତ୍ରାଲାଗି ହୋଇଥାଏ । ତତ୍ପରେ ଶ୍ରୀବିଗ୍ରହମାନଙ୍କୁ କର୍ପୂର ଲାଗି ହୋଇ ବେଶ ବଢିବାପରେ ମଧ୍ୟାହ୍ନ ଧୂପ ଉଠିଥାଏ ଓ ଜୟବିଜୟ ଦ୍ୱାର ବନ୍ଦ ହୋଇ ଚନ୍ଦନ ଅର୍ଗଳୀ ଠାରେ ଶୁଦ୍ଧ ସୁଆର ପାଣି ପକାଇ ପୋଛା ମାରିବା ପରେ ପୂଜାପଣ୍ଡା ପଂଚବର୍ଣ୍ଣ ମୁରୁଜରେ ମଣ୍ଡଳ ଲେଖିଥାନ୍ତି । ଏହାପରେ ତିନିବାଡରେ ଶ୍ରୀବିଗ୍ରହମାନଙ୍କର ବନ୍ଦାପନା ଓ କଳସ ବରୁଣ ପୂଜା କରାଯାଏ । ଇତିମଧ୍ୟରେ ଦକ୍ଷିଣ ଘର ଭୋଗ ସରିବା ପରେ ମହାଜନ ସେବକମାନେ ବାମନ/କୃଷ୍ଣଙ୍କୁ ରତ୍ନସିଂହାସନରେ ବିଜେ କରାଇବା ପରେ ମୁଦିରସ୍ତ ସେବକ ଶ୍ରୀଅଙ୍ଗରେ ଧଣ୍ଡି ପ୍ରସାଦ ଲାଗିକରିଥାନ୍ତି । ଏଥି ଉତାରେ ମହାଜନମାନେ କୃଷ୍ଣଙ୍କୁ ସର୍ବତୋଭଦ୍ରମଣ୍ଡଳରେ ବିଜେ କରାନ୍ତି । ଏହା ପୂର୍ବରୁ ଏହି ମଣ୍ଡଳରେ ସୁବର୍ଣ୍ଣର ବାମନ ପ୍ରତିମା ବିଜେ କରିଥାନ୍ତି । ଏଠାରେ ଗର୍ଭଉଦକ ନୀତି, ଜନ୍ମବିଧିମାନ କରାଯାଇଥାଏ । ଏହାପରେ କ୍ଷୀର, ଲହୁଣୀ, କୋରା ମଣୋହି, ପ୍ରସାଦ ଲାଗି, ଭଣ୍ଡାର ଘରୁ ରୂପା ବଟାରେ ପତିମହାପାତ୍ରଙ୍କ ହସ୍ତରେ ଶ୍ରୀଦୁର୍ଗା ଦେବୀଙ୍କ ବିଜେ, ବସୁଧାରା ଯଜ୍ଞ ପବିତ୍ରା, ଶୀତଳ ଭୋଗ ପନ୍ତି, ଦୁଧ ମଣୋହି, ପ୍ରସାଦ ଲାଗି ଓ ବନ୍ଦାପନା ଇତ୍ୟାଦି ନୀତିମାନ ଅନୁଷ୍ଠିତ ହୁଏ । ସନ୍ଧ୍ୟା ଧୂପ ନୀତି ଶେଷ ହେଲାପରେ ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ଇନ୍ଦ୍ରଧ୍ୱଜ ପୂଜା ଅନୁଷ୍ଠିତ ହେବ । ଏଥି ନିମନ୍ତେ କାଠ ବାଉଁଶରେ ସପ୍ତମେଘ ପୋତାଯାଇଛି । ରୋଷରୁ ଦୁଇ ଓଳି ଅନ୍ନ ପନ୍ତିରେ ବଢାଯିବାପରେ ପୂଜାପଣ୍ଡା ପଂଚୋପଚାର ବିଧିରେ ଭୋଗ କରନ୍ତି ।
ସୂଚନାଯୋଗ୍ୟ ଯେ, ବର୍ଷକରେ ଏହି ଦିନଟିରେ ହିଁ କେବଳ ଶଙ୍ଖୁଡି ବାହାରକୁ ଯାଏ । ତତ୍ପର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ହୋଇଥାଏ । ବାମନ ଯେତେବେଳେ ବଳିଦ୍ଵାରକୁ ତିନିପାଦ ଭୂମି ମାଗିବାକୁ ଯାଇଥିଲେ । ସେତେବେଳେ ବାମନ ବ୍ରାହ୍ମଣ ରୂପରେ ଥିଲେ ।