ଭୁବନେଶ୍ୱର– ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ବଢୁଛି ଉତ୍ସାହ । 17ରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଘରେ ଘରେ ପଂହଚିବ ସୁଭଦ୍ରା । ଶୁକ୍ରବାର ସୁଦ୍ଧା 50 ଲକ୍ଷରେ ପହଞ୍ଚି ସାରିଲାଣି ସୁଭଦ୍ରା ଆବେଦନ ସଂଖ୍ୟା । ଆଗକୁ ଏହି ସଂଖ୍ୟା ଆହୁରି ବଢିବ । ପ୍ରତି ବ୍ଲକ ଓ ପଞ୍ଚାୟତରେ ପାଳନ ହେଉଛି ସୁଭଦ୍ରା ସ୍ବାଗତ ସପ୍ତାହ । ଗାଁ ଗାଁରେ ବୁଲୁଛି ସୁଭଦ୍ରା ରଥ । ଆଉ ଏ ସବୁ ଭିତରେ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର ।
ସୁଭଦ୍ରା ସହାୟତା ଉପଲବ୍ଧି ହେବ ଆହୁରି ସହଜ । ଡାକ ବିଭାଗ ବ୍ୟାଙ୍କ ଆକାଉଣ୍ଟରେ ବି ମିଳିବ ସୁଭଦ୍ରା ପ୍ରୋତ୍ସାହନ ରାଶି । ଓଡିଶା ଡାକ ପରିମଣ୍ଡଳ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଜରିଆରେ ଏହି ସେବାକୁ ଯୋଗାଇବ । ସମସ୍ତ ୮୯୧୨ ଡାକ ଘର ଆକ୍ସେସ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବ ଏବଂ ୯୫୦୦ ଡାକ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବିସ୍ତୃତ ପରିସୀମା ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ନିର୍ଭରଯୋଗ୍ୟ ତଥା ସହଜ ବ୍ୟାଙ୍କିଙ୍ଗ ସେବା ପାଇପାରିବେ ।
ସେପଟେ ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବଡ ପଦକ୍ଷେପ ନେଇଛନ୍ତି ସରକାର । ସବୁ ବିଭାଗ କରିବେ ସୁଭଦ୍ରା ଯୋଜନାର ବ୍ରାଣ୍ଡିଂ । ଏ ନେଇ ସବୁ ବିଭାଗ ସଚିବଙ୍କୁ ଚିଠି ଲେଖି ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ । ସବୁ ବିଭାଗ କାର୍ଯ୍ୟାଳୟରେ ଏଲ୍ ଇ ଡି ଜରିଆରେ ସୁଭଦ୍ରା ଯୋଜନାର ଭିଡ଼ିଓ ଚାଲିବ । ସବୁ ବିଭାଗର ୱେବ୍ ସାଇଟ୍, ସୋସିଆଲ ମିଡ଼ିଆ ହାଣ୍ଡେଲ, ମୋବାଇଲ ଆପରେ ପ୍ରଦର୍ଶିତ ହେବ ସୁଭଦ୍ରା ଯୋଜନା ଲୋଗୋ ଏବଂ ଟ୍ୟାଗ ଲାଇନ୍ । 15 ତାରିଖରୁ ସବୁ ବିଭାଗର ସୋସିଆଲ ମିଡ଼ିଆ ପେଜର ପ୍ରୋଫାଇଲ୍ ପିକ୍ଚରରେ ଲାଗିବ ସୁଭଦ୍ରା ଲୋଗୋ ।