ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆତ୍ମହତ୍ୟା ଠାରୁ ଦୁରେଇ ରହିବା ପାଇଁ ଉଦବୋଧନ ଦେଇଥିଲେ ଏବଂ ନିଶା ଠାରୁ ନିବୃତ୍ତ ରହିବା ପାଇଁ ଉପଦେଶ ଦେଇଥିଲେ l ସମ୍ମାନିତ ଅତିଥି ମହାବିଦ୍ୟାଳୟର ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଆତ୍ମହତ୍ୟା ପ୍ରତିରୋଧ ଦିବସର ଗୁରୁତ୍ୱ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ମନୋବୈଜ୍ଞାନିକ ଡ଼ଃ. ଜ୍ଞାନରଞ୍ଜନ ମହାପାତ୍ର ଏହି ସଭାର ମୁଖ୍ୟ ବିଷୟବସ୍ତୁ “ଆତ୍ମହତ୍ୟା ବିଷୟରେ ଗଳ୍ପକୁ ପରିବର୍ତ୍ତନ କରିବା ” ବିଷୟରେ ସନ୍ଦର୍ଭ ଉପସ୍ଥାପନା କରିଥିଲେ l ମୁଖ୍ୟବକ୍ତା ବାଣିଜ୍ୟ ବିଭାଗ ମୁଖ୍ୟ ତଥା ଯୁବ ରେଡ଼କ୍ରସ ସଂଯୋଜକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଜିଲ୍ଲାରେ ଆତ୍ମହତ୍ୟା ବୃଦ୍ଧି ପାଇଁ ଉଦବେଗ ପ୍ରକାଶ କରିବା ସହିତ ଅହଂକାର ଆତ୍ମହତ୍ୟା ମୁଖ୍ୟ କାରଣ ବୋଲି ଦର୍ଶାଇଥିଲେ l ଅନ୍ୟତମ ମୁଖ୍ୟ ଅତିଥି ଡ଼ଃ. ସୁବ୍ରତ କୁମାର ଜେନା “ପ୍ରତିରୋଧ ଉପଚାର ଠାରୁ ଭଲ “ବିଷୟରେ ଉଦବୋଧନ ଦେଇଥିଲେ l
ସଭା ଆରମ୍ଭରେ ଅତିଥିମାନେ ଶ୍ରୀ ବିବେକାନନ୍ଦଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଅଧିକାରୀ ଗୌତମ ନାୟକ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଲେଫ୍ଟନାଣ୍ଟ ସୁଶାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆତ୍ମହତ୍ୟା ନକରିବା ପାଇଁ ଶପଥ ପାଠ କରିଥିଲେ l