ଜୟପୁର– ବୋରିଗୁମ୍ମା ବ୍ଲକ ଅଞ୍ଚଳରେ ଗତକାଲି ଅପରାହ୍ନରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଫସଲହାନୀ ସମ୍ଭାବନାକୁ ନେଇ ଚାଷୀ ଚିନ୍ତାରେ ଥିବା ଜଣାପଡିଛି। ଏ ବର୍ଷ ବର୍ଷା ପାଇଁ ଚାଷୀ, ଚାଷ କାର୍ଯ୍ୟକୁ ନେଇ ଆରମ୍ଭରୁ ଚିନ୍ତାରେ ରହିଅଛି। ଚାଷ ଆରମ୍ଭରେ ବର୍ଷା ବିଳମ୍ବରେ ହୋଇଥିଲା। ଫଳରେ ଧାନ ଚାଷୀ ବହୁମାତ୍ରାରେ ଚାପଗ୍ରସ୍ତ ରହୁଥିଲେ। ହେଲେ ବିଳମ୍ବରେ ହେଲେ ମଧ୍ୟ ଭଲ ବର୍ଷା ହେବାରୁ ଧାନ ଚାଷୀ ମନରେ ଆନନ୍ଦ ଭରି ଦେଇଥିଲା। କ୍ଷେତରେ ଧାନ ଫସଲ ଦେଖି ଚାଷୀ ଭଲ ଅମଳକୁ ନେଇ ଖୁସିରେ ରହୁଥିଲେ। ହେଲେ ଗତକାଲି ଅପରାହ୍ନ ଠାରୁ ବୋରିଗୁମ୍ମା ବ୍ଲକର ବିଜାପୁର, ବାଣ୍ଡିଗୁଡା, ପଞ୍ଚାୟତର ଜାଣିଗୁଡ଼ା, ସମରଥଗୁଡା, ଡେଙ୍ଗାଗୁଡା ଅଞ୍ଚଳରେ ବର୍ଷା ଯୋଗୁ ରାସ୍ତା ଉପରେ ଆଣ୍ଠୁଏ ପାଣି ବୋହୁଛି। ଚାଷ ଜମି ଜଳମଗ୍ନ ହୋଇଯାଇଛି।। ଆରମ୍ଭ ହୋଇଥିବା ଲଘୁଚାପ ବର୍ଷା ୨ ରୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଜାଣିବା ପରେ ଏହି ଅଞ୍ଚଳର ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି। ଅଧିକାଂଶ ଜମିରେ ଧାନ ଫସଲ ହାତେ ଲେଖାଏଁ ବଢ଼ିଲା ପରେ ପାଣିରେ ବୁଡି ଯାଇଛି। ଯଦି ବର୍ଷା ଦୁଇ ଦିନ ଧରି ଲାଗି ରହେ ତା’ହେଲେ ଧାନ ଗଛ କ୍ଷେତରେ ହିଁ ଖରାପ ହେବାର ସମ୍ଭାବନା ରହିଛି। ଏହାଛଡା ଅଞ୍ଚଳରେ ଚାଷୀମାନେ ପରିବା ଚାଷ କରିଥିବା ବେଳେ ଲଗାଣ ବର୍ଷା ଯୋଗୁ ତାହା ମଧ୍ୟ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁ ଲୋକେ ଘରୁ ବାହାରି ପାରୁ ନ ଥିବା ଦେଖିବାକୁ ମିଳୁଛି। ବଜାରଘାଟ ଜନଗହଳି ନ ଥିବା ଦେଖିବାକୁ ମିଳିଛି।
Related Stories
October 6, 2024
October 6, 2024