ପଟ୍ଟାମୁଣ୍ଡାଇ- ଆଜି ସକାଳେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ତାଳଚୁଆ ଘାଟରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ସରକାରୀ ଲଂଚ୍ ଘନ କୁହୁଡ଼ି ଯୋଗୁଁ ବାଟବଣା ହୋଇ ସମୁଦ୍ର ମଧ୍ୟରେ ପ୍ରାୟ ୫ ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଫସି ରହିଥିଲା । ଯାତ୍ରୀଙ୍କ ଠାରୁ ଖବର ପାଇ ରାଜନଗର ପୋଲିସ ଲଂଚ୍ ଟିକୁ ଠାବ କରିବା ସହ ପରବର୍ତି ସମୟରେ ଏହା ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସରକାରୀ ଲଂଚ୍ ରେ ଥିବା ଜିପିଆରଏସ ସିଷ୍ଟମ୍ ସମ୍ପୂର୍ଣ୍ଣ ଅଚଳ ହୋଇଥିବାରୁ ଲଂଚଟି ବାଟବଣା ହୋଇଥିବା କୁହାଯାଉଛି ।
ଆଜି ସକାଳ ପ୍ରାୟ ୬ଟା ପୂର୍ବରୁ ତାଳଚୁଆ ଘାଟରୁ ଲଂଚଟି ଚାନ୍ଦବାଲି ଅଭିମୁଖେ ବ୍ରାହ୍ମଣୀ ନଦୀରେ ଯାତ୍ରା କରୁଥିଲା । ହେଲେ ଯାତ୍ରା କରିବାର ପ୍ରାୟ ଅଧ ଘଂଟା ପରେ ମୁହାଣ ନିକଟରେ ବାଟବଣା ହୋଇ ଲଂଚ୍ ଡ଼୍ରାଇଭର ସମୁଦ୍ର ମଧ୍ୟକୁ ପଶି ଯାଇଥିଲେ । ଲଂଚ୍ ଡ଼୍ରାଇଭର ଲଙ୍ଗର ପକାଇ ଲଂଚଟିକୁ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ସ୍ଥିର ରଖିବାରେ ସଫଳ ହୋଇଥିଲେ । ଫଳରେ ଲଂଚ୍ ଟି ଗଭୀର ସମୁଦ୍ର ମଧ୍ୟକୁ ଯିବାରୁ ବର୍ତି ଯାଇଥିଲା ଏବଂ ବର୍ତି ଯାଇଥିଲା ୩୦ ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ । ସେମାନଙ୍କ ମଧ୍ୟରେ ଛୋଟ ଛୁଆଙ୍କ ସମେତ ବୟସ୍କ ବ୍ୟକ୍ତି ଓ ମହିଳା ମାନେ ରହିଥିଲେ ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସରକାରୀ ଲଂଚ୍ ରେ ଥିବା ଜିପିଆରଏସ ସିଷ୍ଟମ୍ ସମ୍ପୂର୍ଣ୍ଣ ଅଚଳ ହୋଇଥିବାରୁ ଲଂଚଟି ବାଟବଣା ହୋଇଥିବା କୁହାଯାଉଛି । ଯଦି ଏହା ସତ୍ୟ ହୋଇଥାଏ, ତେବେ ତାହା ସାଙ୍ଘାତିକ । ଘଟଣାର ସତ୍ୟାସତ୍ୟ ଯାଂଚ୍ କରାଯିବା ସହିତ ସମସ୍ତ ସରକାରୀ ଲଂଚ୍ ରେ ଜିପିଆରଏସ ସିଷ୍ଟମ କାର୍ଯ୍ୟକ୍ଷମ, ଆବଶ୍ୟକ ସ୍ଥଳେ ମରାମତି କରି ଏହାକୁ ସଚଳ କରାଇବାକୁ ଯାତ୍ରୀ ମାନେ ଦାବି କରିଛନ୍ତି । ଅନୁରୂପ ଭାବେ ଗତକାଲି ସକାଳେ ଘନ କୁହୁଡ଼ି ଯୋଗୁଁ ଚିଲିକାରେ ୨ ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଫସି ରହିଥିଲା ଏକ ଯାତ୍ରୀବାହି ଡ଼ଙ୍ଗା । ଏହି ମୋଟର ଚାଳିତ ଡ଼ଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁଁ ନାଉରିଆ ବାଟ ଜାଣି ନପାରିବାରୁ ଚିଲିକା ମଝିରେ ମହିଷା ବ୍ରହ୍ମପୁର ନିକଟସ୍ଥ ଏକ ଗ୍ରାମ ପାଖାପାଖି ଫସି ଯାଇଥିଲା । କୁହୁଡ଼ି ଛାଡିବା ପରେ ଦୁଇ ଘଂଟା ବିଳମ୍ବରେ ଡ଼ଙ୍ଗାଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରି ଜହ୍ନିକୁଦାରେ ପହଂଚି ଥିଲା । ଏହି ଡ଼ଙ୍ଗାରେ ପ୍ରାୟ ୩୦ ଜଣ ଯାତ୍ରୀ ଯାତ୍ରା କରୁଥଲେ ।