
-
ପ୍ରଚ୍ଛଦରେ ଓଡ଼ିଆ ପରମ୍ପରାକୁ ଫୁଟାଇଲେ ଗାୟିକା ଅନ୍ତରା
-
ପ୍ରଥମ ଥର ଦ୍ଵି-ପ୍ରଚ୍ଛଦର ପ୍ରକାଶନ କଲା ‘ରେବତୀ’
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତି : ୨୦୧୮ ଅକ୍ଟୋବର ମାସରୁ ପ୍ରକାଶ ପାଇ ଓଡିଆ ପାଠକମାନଙ୍କ ପାଖରେ ବର୍ଷକ ଭିତରେ ଆଦୃତି ଲାଭ କରିଥିବା ମାସିକ ପାରିବାରିକ ଫିଚରଧର୍ମୀ ଓଡ଼ିଆ ପତ୍ରିକା ‘ରେବତୀ’ର ଜାନୁଆରୀ-୨୦୨୯ ସଂଖ୍ୟା ଇତିମଧ୍ୟରେ ପ୍ରକାଶ ପାଇଛି। ସମାଜସେବୀ ସୁବାସିନୀ ଜେନାଙ୍କ ସମ୍ପାଦନାରେ ରେବତୀ ମିଡିଆ ହାଉସ୍ (ପ୍ରା) ଲିଃ. କର୍ତ୍ତୃକ ପ୍ରକାଶିତ ‘ରେବତୀ’ ଓଡିଶାର ଭାଷାସାହିତ୍ଯ, ସଂସ୍କୃତି ଓ ପରମ୍ପରା, ଐତିହ୍ୟ ଓ ଇତିହାସ, ସ୍ଵାସ୍ଥ୍ୟ, କୃଷି ଓ ନଦନଦୀ, ଜୀବନ ଓ ଜୀବିକା, ଏପରି ଅନେକ ପ୍ରସଙ୍ଗରେ ଆଲେଖ୍ୟ ପ୍ରସ୍ତୁତ କରି ପାଠକମାନଙ୍କୁ ପରଷି ଦେଇଆସୁଛି। ପାଠକଙ୍କ ଆଦର ଓ ସମର୍ଥନ ଫଳରେ ‘ରେବତୀ’ ସାରା ରାଜ୍ୟ ଏବଂ ରାଜ୍ୟ ବାହାରର କିଛି ପାଠକଙ୍କର ପ୍ରିୟ ପତ୍ରିକା ଭାବେ ପରିଚିତି ପାଇପାରିଛି। ‘ସଚିତ୍ର ବିଜୟା’ ଓ ‘ସାନନ୍ଦା’ ବନ୍ଦ ହୋଇଯିବା ପରେ ପୂର୍ଣାଙ୍ଗ ଫିଚରଧର୍ମୀ ପତ୍ରିକାର ଅଭାବ ଥିଲା ଓଡିଶାରେ। ସେ ଅଭାବକୁ ଅଳ୍ପାଂଶରେ ହେଲେ ବି ‘ରେବତୀ’ ପୂରଣ କରିଛି ବୋଲି ବହୁ ପାଠକ ପ୍ରକାଶ କରିଛନ୍ତି।
ଚଳିତ ଜାନୁଆରୀ ନବବର୍ଷ ସଂଖ୍ୟାଟି ବର୍ଷ ଆରମ୍ଭ ସଂଖ୍ୟା ଭାବେ ସୁନ୍ଦର ପ୍ରଚ୍ଛଦ ଓ ଶୋଭନୀୟ ପରିପାଟୀରେ ଆତ୍ମପ୍ରକାଶ କରି ସମ୍ପ୍ରତି ଏବେ ଓଡ଼ିଶାର ବିଭିନ୍ନ ପତ୍ରିକା ଷ୍ଟଲମାନଙ୍କରେ ବିକ୍ରି ହେଉଛି। ପଚାଶ ଟଙ୍କା ମୂଲ୍ୟ ଥିବା ଏ ପତ୍ରିକାଟି ସମ୍ପୂର୍ଣ୍ଣ ରଙ୍ଗୀନ ମୁଦ୍ରଣ ଓ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଗ୍ଲସି କାଗଜରେ ନୂଆ ଓ ଭିନ୍ନ ଧରଣର ଆଲେଖ୍ୟକୁ ନେଇ ପ୍ରକାଶିତ ହେଉଥିବା ବେଳେ ଏହାର ଲେଖାର ବିବିଧତା ହିଁ ପାଠକଙ୍କୁ ବାନ୍ଧି ରଖୁଛି ବୋଲି ଜଣେ ପାଠକ ମତ ଦେଇଛନ୍ତି। ଜାନୁଆରୀ ମାସରେ ସରସ୍ୱତୀ ପୂଜା ଥିବାରୁ ବିଦ୍ୟା ଓ ଜ୍ଞାନର ଦେବୀ ସରସ୍ଵତୀଙ୍କ ଏକ ମୁଦ୍ରା ରୂପାୟିତ କରିଛନ୍ତି ଗାୟିକା ଅନ୍ତରା ଚକ୍ରବର୍ତ୍ତୀ କଭର୍ ମଡେଲ୍ ଭାବେ। କଭର୍ ନିର୍ମାଣରେ କ୍ରିଏଟିଭ୍ ନିର୍ଦ୍ଦେଶକ ନିରୁପମା ପତି ଆଚାର୍ଯ୍ୟ ଥିବାବେଳେ ଗ୍ରାଫିକ୍ ଡିଜାଇନର୍ ଶିବରାଜ୍ କମ୍ପ ପ୍ରଚ୍ଛଦକୁ ଲୋଭନୀୟ କରିଛନ୍ତି ବୋଲି ‘ରେବତୀ’ ପକ୍ଷରୁ କୁହାଯାଇଛି।
ଏଥର ଠାରୁ ଦ୍ଵି-ପ୍ରଚ୍ଛଦ ପରିକଳ୍ପନା କରାଯାଇଛି ଓ ସେକେଣ୍ଡ କଭର୍ ସଂଯୋଜିତ ହୋଇଛି ମିଡିଲ୍ ସ୍ପ୍ରେଡ୍ ପୃଷ୍ଠାରେ। ଏଥିପାଇଁ ମଡେଲ୍ ହୋଇଛନ୍ତି ଆସାମର ମଡେଲ୍ ଅଞ୍ଜୁ ହାଜାରିକା। ପ୍ରଥମ ଥର ଲାଗି ଗୋଟିଏ ପତ୍ରିକାରେ ଦ୍ଵିତୀୟ କଭର୍ ପରିକଳ୍ପନା ‘ରେବତୀ’ ତାର ପାଠକଙ୍କ ପାଇଁ କରିଛି। ଏହାଛଡା ଏଥର ଠାରୁ ‘ଆଇନକାନୁନ’ ନାମରେ ଏକ ବିଭାଗ ଆରମ୍ଭ ହୋଇଛି, ଯାହା ବିଚାର ବ୍ୟବସ୍ଥା ଓ ଆଇନ ବ୍ୟବସ୍ଥା ସମ୍ପର୍କରେ ପାଠକପାଠିକାଙ୍କୁ ଅବଗତ କରାଇବ। ଏହାଛଡା ପାଠକଙ୍କ ପଢିବା ନିମନ୍ତେ ଏଥରର ଏ ସଂଖ୍ୟାରେ ଅଛି କୋରାପୁଟର ଆଦିବାସୀ ସଂଗ୍ରହାଳୟ ସମ୍ପର୍କିତ ଫଟୋ ଓ ଆଲେଖ୍ୟ, କନ୍ଧମାଳ ହଳଦୀକୁ ନେଇ ବିଶେଷ ଉପସ୍ଥାପନା, କେନ୍ଦ୍ର ଶାସିତ ଅଞ୍ଚଳ ‘ଦିଉ’ ସମ୍ପର୍କରେ ରୋଚକ ଭ୍ରମଣକାହାଣୀ, କବି ବ୍ରଜନାଥ ରଥଙ୍କ ସମ୍ପର୍କରେ ‘ମୋ ବାପା’ କ୍ରମରେ ଏକ ଆବେଗଭରା ସ୍ମୃତଚାରଣ, ବୈତରଣୀ ନଦୀର କାହାଣୀ, ଗଙ୍ଗାଧର ମେହେର୍ ବିଶ୍ଵବିଦ୍ୟାଳୟ ସମ୍ପର୍କରେ ଆଲେଖ୍ୟ। ଉତ୍ତମ ମହାନ୍ତିଙ୍କ ସହିତ ଏକ ବିଶେଷ ସାକ୍ଷାତ ଆଲୋଚନା ମଧ୍ୟ ଏ ସଂଖ୍ୟା ର ଆକର୍ଷଣ। ସେହିପରି ରବି ପଣ୍ଡା, ପ୍ରତ୍ୟୁଷ ପଣ୍ଡା ଓ ସ୍ଵାଗତିକା ସେଠୀଙ୍କ ଗଳ୍ପ ସହିତ କବି ଫନୀ ମହାନ୍ତି, ହରପ୍ରସାଦ ଦାସ, ପ୍ରଦୀପ କୁମାର ପଣ୍ଡା, କମଳ କୁମାର ମହାନ୍ତି, ପ୍ରମୀଳା ଶତପଥୀ, ଜୟନ୍ତୀ ବିଶ୍ଵାଳ ବେହୁରିଆ, ଲିପିରେଖା ଶତପଥୀ, ମାଧୁରୀ ପଣ୍ଡା, ଅକ୍ଷୟ ବେହେରା ପ୍ରଭୃତିଙ୍କ କବିତାର ସ୍ଵାଦ ଏବଂ ରୋଷେଇ ପୃଷ୍ଠାରେ ନାନା ବ୍ୟଞ୍ଜନ ସାଙ୍ଗକୁ ଏଥରଠୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀକୁ ନେଇ ଏକ ଧାରାବାହିକ ଚରିତ-ଉପନ୍ୟାସ ଲେଖିଛନ୍ତି ପବିତ୍ର ମୋହନ ଦାଶ।