ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ତଳଗୋପବିନ୍ଧା ପଂଚାୟତ ମିରିପୁର ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ସୁଭଦ୍ରା ଯୋଜନା ଫର୍ମ ବଂଟନ କରିବାକୁ ନେଇଥିଲେ। ଏହି ଫର୍ମ ବଂଟନକୁ ନେଇ ପଂଚାୟତର ନାଏବ ସରପଂଚ ବାସନ୍ତୀ ମଳିକ ଓ ଅଙ୍ଗନୱାଡ଼ି କର୍ମୀ ସବିତା ନାୟକଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏହାକୁ ନେଇ ଉଭୟ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ନାଏବ ସରପଂଚ ଶ୍ରୀମତୀ ମଳିକ ଥାନାରେ ମଧ୍ୟ ଅଭିଯୋଗ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ସୋମବାର ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ନାୟକ ସୁଭଦ୍ରା ଯୋଜନା ଫର୍ମ ବଂଟନ କରିବାକୁ ନେଇଥିଲେ। ସେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ଫର୍ମ ବଂଟନ କରୁଥିବା ବେଳେ ନାଏବ ସରପଂଚ ଶ୍ରୀମତୀ ମଳିକଙ୍କ ସ୍ୱାମୀ ସେଠାରେ ପହଂଚି ତାଙ୍କ ମାର୍ଫତରେ ଫର୍ମ ବଂଟନ କରିବାକୁ କହିଥିଲେ। ମାତ୍ର କର୍ମୀ ଶ୍ରୀମତୀ ନାୟକ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଫର୍ମ ବଂଟନ କରିବେ ବୋଲି କହିବାରୁ ନାଏବ ସରପଂଚଙ୍କ ସ୍ୱାମୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ମଙ୍ଗଳବାର ପୁଣି ସେ ଫର୍ମ ବଂଟନ କରୁଥିବା ବେଳେ କିଛି ଲୋକ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇ ଚାକିରୀରୁ ବାହାର କରିଦେବେ ବୋଲି କହିଥିଲେ ବୋଲି କର୍ମୀ ଶ୍ରୀମତୀ ନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ସେ ବିଡିଓ ଏବଂ ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପାଇଁ ଦାବି କରିଛନ୍ତି। ସେହିପରି ନାଏବ ସରପଂଚ ଶ୍ରୀମତୀ ମଳିକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପଂଚାୟତର ୬ ଓ ୭ନମ୍ବର ୱାର୍ଡ଼କୁ ନେଇ ମିରିପୁର ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। କେନ୍ଦ୍ରର କର୍ମୀ ୩୦ଟି ସୁଭଦ୍ରା ଯୋଜନା ଫର୍ମ ବାଂଟିବା ପରେ ଫର୍ମ ନଥିବା କହି ବଂଟନ ବନ୍ଦ କରି ଦେଇଥିଲେ। ପରେ ରାତିରେ କର୍ମୀ ଶ୍ରୀମତୀ ନାୟକ ଫର୍ମ ବଂଟନ କରିଥିଲେ। ଏ ସମ୍ପର୍କରେ ନାଏବ ସରପଂଚ ତାଙ୍କୁ ପଚାରି ଥିଲେ। ଏହାକୁ ନେଇ କର୍ମୀ ଓ ତାଙ୍କ ସ୍ୱାମୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସେ ତିହିଡ଼ି ଥାନା ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଜ୍ୟୋତିର୍ମୟ କରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
Related Stories
September 16, 2024