
-
ବାଲେଶ୍ଵର ବିଉଟି ହେଲେ ମଧ୍ୟ ସମାଜସେବା କଳ୍ପାଶାଙ୍କ ହବି
-
ହାଡଥରା ଶୀତରେ ମନେପକେଇଲେ ବୃଦ୍ଧବୃଦ୍ଧାଙ୍କୁ
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ସହରରେ ଶୀତର ଲହରୀ ଖେଳୁଥିବା ବେଳେ ସ୍ଵଚ୍ଛଳ ବର୍ଗର ଲୋକେ ଘରେ ଆରାମରେ ଶୋଉଥିଲେ ହେଁ ଖୁବ୍ କମ୍ ଲୋକ ଭାବନ୍ତି ଦରିଦ୍ର, ଭିକ୍ଷୁକ ଶ୍ରେଣୀର ବୃଦ୍ଧବୃଦ୍ଧାମାନଙ୍କ କଥା। ସମାଜସେବା କରୁଥିବା କିଛି ସଂଗଠନର ସଦସ୍ୟ କିମ୍ବା କାଁ ଭାଁ ସହୃଦୟୀ ଧନୀକ ବ୍ୟକ୍ତି ଏଇ ଭିକ୍ଷୁକଙ୍କୁ ଦେଇଥାନ୍ତି କମ୍ବଳ ବା ଶୀତବସ୍ତ୍ର ଓ କେବେ କେବେ ଖାଦ୍ୟ। ଏତିକିରେ ଭିକ୍ଷାବୃତ୍ତିରେ ଚଳୁଥିବା ମଣିଷ ମାନଙ୍କର ଆନନ୍ଦ କହିଲେ ନସରେ। ଖୁସିରେ ସେମାନେ ମଙ୍ଗଳ କାମନା କରନ୍ତି ଓ ସେମାନଙ୍କ ମୁହଁରେ ଫୁଟିଉଠେ କ୍ଷଣିକ ପାଇଁ ହେଲେ ବି ମୁକ୍ତ ହସ କେରାଏ। ହଁ ସେଇ ଦୁଃଖୀ ଦୀନହୀନଙ୍କ ପାଇଁ ଆଜନ୍ମ ଭାବି ଆସୁଥିବା ବାଲେଶ୍ଵର ମାଟିର ଝିଅ କଳ୍ପାଶା ଅଙ୍କିତା ଶ’ ସଂପ୍ରତି ଫକୀରମୋହନଙ୍କ ଜୟନ୍ତୀ ଅବସରରେ ବାଣ୍ଟିଛନ୍ତି ଶୀତବସ୍ତ୍ର। ଶୀତରେ ଥରୁଥିବା ସହର ଏବଂ ଷ୍ଟେସନ ଏରିଆରେ ମୁକ୍ତାକାଶ ତଳେ ଶୋଇ ପଡୁଥିବା କିଛି ବାସଶୂନ୍ୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରିଛନ୍ତି କଳ୍ପାଶା। ସବୁବେଳେ ଗରିବ ଓ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଉଥିବା କଳ୍ପାଶା ଏଥର ବାଲେଶ୍ଵର ଷ୍ଟେସନ ରୋଡ୍ ସ୍ଥିତ ସାଈ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ସେଠାରେ ଥିବା ୩୦ରୁ ଉର୍ଦ୍ଧ୍ବ ବୟସ୍କ ବୁଢ଼ାବୁଢ଼ୀଙ୍କୁ କମ୍ବଳ ଓ ପ୍ରସାଦ ବାଣ୍ଟିଥିଲେ। ତାଙ୍କ ସହିତ ତାଙ୍କ ମାଆ ରଶ୍ମି ଦାସ ଓ ଭଉଣୀ ଇତ୍ୟାଶା ଶ’ ମଧ୍ୟ ଉପସ୍ଥିତ ଥିଲେ।
କଳ୍ପାଶା ହେଉଛନ୍ତି ପୂର୍ବତନ ବାଲେଶ୍ଵର ସୁନ୍ଦରୀ। ତେବେ ସମାଜର ଅସହାୟ ଲୋକଙ୍କ ପାଇଁ କାମ କରିବାକୁ ସେ ଗଢିଛନ୍ତି ଅଙ୍କିତା ଶ ଫାଉଣ୍ଡେସନ ନାମରେ ଏକ ସଂଗଠନ। ଆର୍ଥିକ କାରଣରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ମେଧାବୀ ଛାତ୍ରଙ୍କୁ ଆର୍ଥିକ ସାହାଯ୍ୟ ଦେବା ସହ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ଏହି ଫାଉଣ୍ଡେସନ ମାଧ୍ୟମରେ ସେ କରିଥାନ୍ତି। କଳ୍ପାଶା ନିଜେ ଏହାର ଚେୟାରପର୍ସନ୍ ଅଛନ୍ତି। ଏହି ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ରେ ଫାଉଣ୍ଡେସନର ମ୍ୟାନେଜର ଅନୀଲ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ଗଣ ଭାଗ ନେଇ ସହଯୋଗ କରିଥିଲେ।