କନ୍ଧମାଳ, କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ମାସାନ୍ତ ସାହିତ୍ୟ ଆସର ଓ ଏବଂ ଓଡିଆ ଅସ୍ମିତାଭିତିକ କାର୍ଯ୍ୟକ୍ରମ ଖଜୁରୀପଡା ବ୍ଳକ, ପିରୁକୁଡି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ଆଗ୍ରହ ଜନ୍ମାଇବା ସହ ସେମାନଙ୍କ ମନରେ ବକ୍ତୃତା, ତର୍କ, ସାଧାରଣ ଜ୍ଞାନ, କବିତା ଗଳ୍ପ ଲିଖନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଦୀର୍ଘ ୫ ବର୍ଷ ହେଲା ଏହି ପ୍ରୟାସ ଜାରି ରହିଛି । ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ସମ୍ପାଦକ ଡକ୍ଟର କାହ୍ନୁ ଚରଣ ଶତପଥୀ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମେହେର ଯୋଗଦେଇ ଛାତ୍ର ଛାତ୍ରୀଙ୍କ ପଠନ ସ୍ଫୃହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପ ସଭାପତି ଶରତଚନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିବା ବେଳେ ସଦସ୍ୟ ସୋମନାଥ ସାହୁ, କଳ୍ପନା ରାଣୀ ପାତ୍ର, ସୁଶ୍ରୀ ଶିବାନୀ ସୁଆର ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ସମ୍ପୃକ୍ତ ବିଦ୍ୟାଳୟ ଗ୍ରନ୍ଥାଗାରକୁ ବନଜ୍ୟୋସ୍ନା ତରଫରୁ ପ୍ରଶସ୍ତି ପତ୍ର ଏବଂ ବିଭିନ୍ନ ଉପାଦେୟ ପୁସ୍ତକ ପ୍ରଦାନ କରାଯାଇଥିଲା । ବୈଠକରେ ବିଦ୍ୟାଳୟର ଶିକ୍ଷକ ମାଧବ ଚନ୍ଦ୍ର କଟା,ନଶୀବ କୁମାର ପ୍ରଧାନ, ଶଂଘମିତ୍ରା ମହାକୁଡ, ବବିତା ସାହାଣୀ, ସସ୍ମିତା ସାବତ, ଏମ.ବି ଆଲକାନ୍ ଏବଂ ଅନ୍ୟମାନେ ସହଯୋଗ କରିଥିଲେ । ଆଗାମୀ ୧୪ ତାରିଖରେ କେରେଡି ହାଇସ୍କୁଲରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।