ହରିଚନ୍ଦନପୁର– ଆମ ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ ବେଶ୍ ସଚେତନ, ତେଣୁ ବିଭିନ୍ନ ସମୟରେ ଜଙ୍ଗଲ ସୁରକ୍ଷା ନେଇ ଅନେକ ପ୍ରକାରର ଜନସଚେତନତା, ବୃକ୍ଷ ରୋପଣ, ବନୀକରଣ ଆଦିରେ ପ୍ରତି ବର୍ଷ ବିପୁଳ ଅର୍ଥ ବ୍ୟୟ ବରାଦ କରୁଛନ୍ତି । କାରଣ ପରିବେଶ ସନ୍ତୁଳନ ରକ୍ଷା ହୋଇ ପାରିବ ଏବଂ ଜଙ୍ଗଲ ସୁରକ୍ଷା ହୋଇପାରିବ । କେନ୍ଦୁଝର ଜିଲ୍ଲାରେ ଜଙ୍ଗଲ ସୁରକ୍ଷା ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଉଥିବା ଦେଖିବାକୁ ମିଳିଛି । ଉଲ୍ଲଙ୍ଘନକାରୀଙ୍କ ଉପରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିରବତା ଦେଖାଉଛି । ଆନନ୍ଦପୁର ବନଖଣ୍ଡ ଦେଓଗାଁ ରେଞ୍ଜ ଅଧିନସ୍ଥ ଭଗାମୁଣ୍ଡା ଠାରେ ଜିଲ୍ଲା ଖଣିଜ ପାଣ୍ଠିରୁ ମୂଖ୍ୟ ରାସ୍ତା ଠାରୁ ଇଣ୍ଡିଆ ସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଥିବା ଜଣେ ଠିକାଦାର ମନମୁଖି ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଉକ୍ତ ରାସ୍ତାରେ ମାଟି ପକାଇବା ଆଳରେ ସମ୍ପୃକ୍ତ ଠିକାଦାର ବେଆଇନ ଭାବରେ ରାଜସ୍ଵ ପୈଠ ନକରି ଇଣ୍ଡିଆ ସାହି ସଂଲଗ୍ନ ଏକ ଖେସରା ଜଙ୍ଗଲରୁ ମାଟି ଉତ୍ତୋଳନ କରୁଛି । ସେଠାରେ ଥିବା ପାଖାପାଖି ପନ୍ଦରରୁ ଅଧିକ ବଡ଼ବଡ଼ ମୂଲ୍ୟବାନ ଶାଳଗଛ ମେସିନ୍ ସାହାଯ୍ୟରେ ଭାଙ୍ଗି ନିକଟ ଜଙ୍ଗଲରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଏ ଘଟଣାକୁ ନେଇ ଭଗାମୁଣ୍ଡା ବନରକ୍ଷୀଙ୍କୁ ଅବଗତ କରିବା ସହ ଏସିଏଫ ଦେଓଗାଁଙ୍କୁ ଜଣାଇ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ବନରକ୍ଷୀ ଘଟଣାସ୍ଥଳକୁ ପରିଦର୍ଶନ କରି ନିରବ ରହିଥିବା ବେଳେ, ଠିକାଦାର ଅନୁମତି ଆବେଦନ କରିଛନ୍ତି ଏବଂ ଅନୁମତି ଦିଆଯାଇନାହିଁ ଏବଂ ଆମେ କାମ ବନ୍ଦ କରିଛୁ କହି ବନ ବିଭାଗ କାମ ସାରି ଦେଇଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ରାସ୍ତା କାମ ପାଇଁ ବନ ବିଭାଗର ଅନୁମତି ମିଳିନାହିଁ ତେବେ ବିନା ଅନୁମତିରେ କାହା ସ୍ବାର୍ଥରେ ଏତେ ଗୁଡିଏ ଗଛକୁ ନଷ୍ଟ କରିଲେ ଠିକାଦାର। ଯଦି ରାସ୍ତା କାମ ପାଇଁ ଅନୁମତି ମିଳେ ଓ ରାସ୍ତା କାମ ହେଉଥିବା ସ୍ଥାନରେ କ୍ଷୟକ୍ଷତି ପାଇଁ ଅନୁମତି ମିଳିପାରେ କିନ୍ତୁ ମାଟି ଉତ୍ତୋଳନ କରିବା ଏବଂ ସେଠାକାର ଗଛ ନଷ୍ଟ କରିବାକୁ ଅନୁମତି ଦେଲା କିଏ ? ଗୋଟିଏ ପଟେ ଭଗାମୁଣ୍ଡା ଅଧିନ ଅଟେଈ ସଂରକ୍ଷିତ ଜଙ୍ଗଲ ଗୁଡିକରୁ ମୂଲ୍ୟବାନ ଗଛ ସବୁ କାଠ ମାଫିଆମାନେ ଦିନ ଦ୍ୱିପ୍ରହରରେ କାଟି ନେଉଥିବା ନଜିର ରହିଛି । କେଉଁ ଉଦ୍ଦେଶ୍ୟରେ ବନବିଭାଗ ସମ୍ପୃକ୍ତ ଠିକାଦାରଙ୍କୁ ଏତେ ଅନୁକମ୍ପା ଦେଖାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଠିକାଦାର ଏବଂ ବନବିଭାଗ ଭିତିରିଆ ବୁଝାମଣାରେ ଏସବୁ ଚାଲିଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି । ତେବେ ରକ୍ଷକ ଯଦି ଭକ୍ଷକ ସାଜେ ଜାତୀୟ ସମ୍ପଦ ବିନାଶ ଦିଗକୁ ଗତି କରୁଛି, ତେଣୁ ବନବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏହାର ସଠିକ୍ ତଦନ୍ତ କରି ଠିକାଦାର ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବି ଦାବି କରିଛନ୍ତି ।
Related Stories
October 15, 2024