ରାଉରକେଲା- ସୁନ୍ଦରଗଡ ଜିଲ୍ଲା କୋଇଡା ଅଂଚଳରେ ଖଣି କାର୍ଯ୍ୟ ବର୍ତମାନ ବଢିବା ସହ ପ୍ରତିଦିନ ପ୍ରାୟ ୨ହଜାର ଗାଡି ଏହି ଅଂଚଳକୁ ଯାଇ ଖଣିଜ ପଥର ପରିବହନ କରୁଥିବା ବେଳେ ଏମାନଙ୍କ ଭିତରୁ ଅନେକ ଗାଡି ଚୋରା ମାଲ ନେବା ଓ ନୋ ଏଂଟ୍ରି ସମୟକୁ ଖାତିର ନକରି ରାସ୍ତା ସାରା ଜାମ କରିବା ଭଳି ସ୍ଥିତି ସମଗ୍ର ଜିଲ୍ଲା ବାସୀଙ୍କ ସମେତ କୋଇଡା ବାସୀଙ୍କ ଲାଗି ଚିନ୍ତାର କାରଣ ହୋଇଛି । ଏହା ଦ୍ୱାରା କୋଇଡା ଓ ଆଖ ପାଖ ଅଂଚଳକୁ ଯାତାୟତ କରୁଥିବା ଅନ୍ୟ ସବୁ ଗାଡି ଘଂଟା ଘଂଟା ଧରି ରାସ୍ତାରେ ଠିଆ ହୋଇ ରହିବାକୁ ପଡୁଛି । ଏପରିକି ରାଉରକେଲାରୁ ଯାଉଥିବା ଲୋକ ସଠିକ ସମୟରେ ଏଭଳି ସମସ୍ୟା ଲାଗି କୋଇଡାରେ ପହଁଚି ନପାରି ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଏଭଳି ସମସ୍ୟା ବିଗତ କିଛି ମାସ ଧରି ଲାଗି ରହିଥିବା ବେଳେ ବର୍ତମାନ ତାହା ଦ୍ୱିଗୁଣିତ ହେବାରେ ଲାଗିଛି ।ଅନୁସଂଧାନ ରୁ ଜଣା ପଡିଛି ଯେ,ତ୍ରିବେଣୀ ଆର୍ଥ ମୁଭର ନାମକ ସଂସ୍ଥାର ପାଖା ପାଖି ୮୦୦ ଗାଡି ଏହି ଅଂଚଳରୁ ରାଜ୍ୟ ଓ ରାଜ୍ୟ ବାହାରକୁ ମାଲ ପରିବହନ କରୁଛି ।
ଏହି କଂପାନୀ କେତେକ ପରିବହନ ସଂସ୍ଥାକୁ କାମ ଦେଇ ନିଜ ଗାଡି ଗୁଡିକୁ ସେଠାରେ ଲଗାଇ ମନ ଇଛା କୌଣସି ନିୟନ ନମାନି ପରିବହନ କରିବା ଓ ଆମ ସରକାରୀ ବ୍ୟବସ୍ଥା ପୁରା ନୀରବ ଦ୍ରଷ୍ଟା ସାଜିବା ଲୋକଙ୍କ ଲାଗି ସମସ୍ୟା ହୋଇ ଠିଆ କରିବାରେ ଲାଗିଛି । ଏହି ସଂସ୍ଥା ବାହାର ରାଜ୍ୟର ଗାଡି ଆଣି ଏସବୁ ମାଲ ପରିବହନ କରୁଥିବା ବେଳେ ଏସବୁ ଗାଡି କେଉଁ ନିୟମରେ ଚାଲୁଛି ସେ ନେଇ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ନୀରବ । ଖାଲି ସେତିକି ନୁହେଁ କୋଇଡା ରେ ଥିବା ଆରିୟନ ମାଇନ୍ସରୁ ଖଣିଜ ପଥର ପରିବହନ କରୁଥିବା କେତେକ ପରିବହନ ସଂସ୍ଥା ଖୋଲା ଖୋଲି ଚୋରାରେ ପ୍ରତିଦିନ ଶହ ଶହ ଟନ ଖଣିଜ ପଥର ଲୁଟିନେବା ଖବର ଖୋଦ୍ ଖଣି ବିଭାଗ କୋଇଡା ଜାଣି ମଧ୍ୟ ନୀରବତା ଅବଲମ୍ବନ କରିବା ମାମଲା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଏହି ପରିବହନ ସଂସ୍ଥାର ଲୋକେ ନିଜକୁ ପ୍ରଭାବଶାଳୀ ଲୋକ ଓ ବର୍ତମାନ ଥିବା ଜିଲ୍ଲାପାଳଙ୍କର ନିଜ ଲୋକ ଓ ଜିଲ୍ଲାପାଳଙ୍କ ସହ ଫଟୋ ଉଠାଇ ବିଭିନ୍ନ ଲୋକଙ୍କୁ ଦେଖାଇ ଧମକ ଚମକ ଦେଇ ଏସବୁ କାରବାର କରୁଥିବା ଆଲୋଚନା ଚାଲିଛି । ଖାଲି ଆରିୟନ ନୁହେଁ ରୁଙ୍ଗଟା,ପେଙ୍ଗୁଇନ,ଏମଟିଚି ସମେତ ୨୦ ଟି ଖଣିରୁ ପ୍ରତିଦିନ ଚୋରା ମାଲ ଆରାମରେ ଚାଲାଣ ହେଉଥିଲେ ବି ଖଣିବିଭାଗ ଚୁପହୋଇ ବସିଛି ।ସଠିକ କାଗଜପତ୍ର ସହ ଯାଉଥିବା ଗାଡି ସହ ମିଳି ମିଶି ଏସବୁ ଗାଡି ଯାଉଥିବା ବେଳେ ରାସ୍ତାରେ ଓ କୋଇଡାରେ ବିଭାଗୀୟ ବାବୁ ମାନେ ତନଖି କରୁ ନଥିବାରୁ ଚୋରା କାରବାର ଆରାମ ରେ ଚାଲିଛି ।ପୁର୍ବରୁ ଖଣି ଲୁଟ କରି ଏ ଏରିଆରୁ ଫେରାର ହୋଇଯାଇଥିବା ବାବୁ ମାନେ ନିଜେ ଓ ନିଜର ଏଜେଂଟ ରଖି ପୁଣି ସେହି ପୁରୁଣା ଫରମୁଲାରେ ଖଣି ରୁ ଚୋରି ଆରମ୍ଭ କରିଥିବା କୁହାଯାଉଛି । ଫଳରେ ହୋଟେଲ ଗୁଡିକ ମଧ୍ୟ ବେଶ ଭିଡ ରହୁଛି । ଭାରତର ଛତିଶଗଡ,ନାଗାଲାଣ୍ଡ,ତାମିଲ ନାଡି,ଆନ୍ଧ୍ରା ଆଦି ଅଂଚଳର ଗାଡି ଏଠାରେ ଅଧିକ ଚାଲୁଥିବା ବେଳେ ଏହି ସବୁ ଗାଡି ନମ୍ବର ରେ ଅଧିକ ଚୋରୀ ହେଉଥିବା କୁହାଯାଉଛି । ଏହି ସବୁ ମାଲ ରାଉରକେଲା ,ବଣେଇ,ଝାରସୁଗୁଡା, ସୁନ୍ଦରଗଡ,ରାଜଗାଙ୍ଗପୁର ଅଂଚଳକୁ ଚାଲାଣ କରାଜିବା ସହ କେଉଁଝର ଅଂଚଳକୁ ମଧ୍ୟ ଚାଲାଣ ହେଉଥିବା ଅଭିଯୋଗ ହେଉଛି ।ଏଭଳି ଚୋରା କାରବାର ସାଂଗକୁ ନୋ ଏଂଟ୍ରିକୁ ନମାନିବା ଦ୍ୱାରା କୋଇଡା ବଜାର ପାଖରୁ ଉଭୟ ବଣେଇ ବଡବିଲ ଜିବା ରସ୍ତା ଗୁଡିକ ଦିନ ତମାନ ଜାମ୍ ଲାଗି ରହୁଛି । ଏଭଳି ଜାମ୍ ଲାଗୁଛି ଯେ,ମୋଟର ସାଇକେଲ ଖଣ୍ଡେ ଯିବା ସମ୍ଭବ ହେଉ ନାହିଁ । ଯଦି ବେଳ ଥାଉ ଥାଉ ଏସବୁ ରୋକା ନଯାଏ ତେବେ ପୁଣି ଏକ ଖଣି ଲୁଟ ମାମଲା ଆସିବା ସହ ପୁଣି ଏକ କମିଶନ ବସିବା ଲାଗି ରାସ୍ତା ତିଆରି ହୋଇଜିବ ବୋଲି ଆଲୋଚନା ଚାଲିଛି ।