ଭୁବନେଶ୍ୱର – ଚଳିତ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିବସରେ ମଧ୍ୟ ପ୍ରଥମାର୍ଧରେ ବିରୋଧୀ ଦଳର ବିଧାୟକ ମାନେ ପ୍ରବଳ ହଟ୍ଟଗୋଳ କରିଥିବାକୁ କୌଣସି କାର୍ଯକ୍ରମ ହୋଇ ପାରି ନାହିଁ । ବିଜେଡି ଦଳର ବିଧାୟକ ମାନେ ମଦ ମୃତ୍ୟୁକୁ ନେଇ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ଦଳର ବିଧାୟକ ମାନେ ଜନଜାତି ମାନଙ୍କର ସୁରକ୍ଷା ଦାବିରେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଗୃହକୁ ଦୁଇ ଥର ମୁଲତବୀ କରିଥିଲେ । ଫଳରେ ଆଜି ପ୍ରଶ୍ନକାଳ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି 10.30 ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପ୍ରଶ୍ନକାଳ କାର୍ଯକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ହେଲେ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନେ ହଟ୍ଟଗୋଳ କରିବା ଆରମ୍ଭ କରି ଦେଇଥିଲେ । ବିଜେଡି ବିଧାୟକ ମାନେ ଗଂଜାମ ଜିଲ୍ଲାରେ ବିଷାକ୍ତ ମଦ ପିଇ ମୃତ୍ୟୁ ହେବା ମାମଲାରେ ଆରଡିସି ତଦନ୍ତ ଦାବି କରି ନାରାବାଜୀ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ମାନେ ଜନଜାତି ବର୍ଗର ସୁରକ୍ଷା ଦାବିରେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବାକୁ ବାରମ୍ବାର ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା । ହେଲେ ବିରୋଧୀ ବିଧାୟକ ମାନେ ସେମାନଙ୍କର ହଟ୍ଟଗୋଳ ଜାରୀ ରଖିଥିଲେ । ହଟ୍ଟଗୋଳ କମ ନ ହେବା କାରଣରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଗୃହକୁ ଏକ ଘଂଟା ପାଇଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏକ ଘଂଟା ପରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ମାତ୍ରେ ସେହି ସମାନ ପରିସ୍ଥିତି ଦେଖା ଦେଇଥିଲା । ବିରୋଧୀ ବିଧାୟକ ମାନେ ସେହି ସମାନ ପ୍ରସଙ୍ଗ କୁ ନେଇ ନାରାବାଜୀ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
Related Stories
October 6, 2024
October 6, 2024