ଚମ୍ପୁଆ, ଘରର କାନ୍ଥ ନାହିଁ କି ମୁଣ୍ଡ ଉପରେ ଚାଳ ନାହିଁ। ସିଧାସଳଖ ସୂର୍ଯ୍ୟ କିରଣ ବିଛୁରିତ ହୋଇ ପଡୁଛି ଘର ଭିତରେ। ପଲିଥିନ ଟାଣି ତାରି ଭିତରେ ଅତି ଦୟନୀୟ ଭାବରେ ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି ଦୁଇ ପ୍ରାଣୀ କୁଟୁମ୍ବ। ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆ ଭୁମିଜ ସାହିର ଭୀମ ବେଣ୍ଟକାର ପାଇଁ ଆବାସ ଯୋଜନା ସତେଯେମିତି ପାଲଟିଛି ସାତ ସପନ। ନିଃସନ୍ତାନ ଭୀମ ଓ ତାର ସ୍ତ୍ରୀ ପର ଘରେ ମୂଲ ଲାଗିଲେ ଚୂଲିଜଳେ। ସରକାରୀ ସହାୟତା କହିଲେ କେବଳ ଖାଦ୍ୟ ସୁରକ୍ଷା ଯୋଜନା ରେ ମିଳୁଥିବା କେଇ କେଜି ଚାଉଳ।ବୟସ ୭୦ରୁ ଅଧିକ ହେଲେ ସୁଦ୍ଧା ଭତ୍ତା ଯୋଜନାରୁ ବଞ୍ଚିତ ଭୀମ ବେଣ୍ଟକାର ଓ ତାର ସ୍ତ୍ରୀ। ଆବାସ ଯୋଜନାରେ ଗ୍ରାମର ଅନେକ ଥିଲାବାଲା ସୁଯୋଗ ହାତେଇ ସାରିଥିବା ବେଳେ ଭୀମ ବେଣ୍ଟକାର କିନ୍ତୁ ଯୋଜନାରୁ ବଞ୍ଚିତ ରହିଛନ୍ତି। ନିରକ୍ଷରତା ହେତୁ ନିଜ ଭୋଟର୍ କାର୍ଡରେ ଜନ୍ମ ତାରିଖର ସଂଶୋଧନ କରି ନପାରି ଭତ୍ତା ଯୋଜନାରୁ ମଧ୍ୟ ବଞ୍ଚିତ ରହିଛନ୍ତି ଏମାନେ। ଆବାସ ଘର ପାଇଁ ବହୁବାର ପଞ୍ଚାୟତର ଦ୍ବାରସ୍ଥ ହୋଇମଧ୍ୟ ନିରାଶ ହୋଇ ପ୍ରଶାସନ ଉପରୁ ଆସ୍ଥା ହରାଇ ସାରିଛନ୍ତି। ଭୀମ ୧୦ବର୍ଷ ରୁ ଅଧିକ ଦିନହେବ ଦିନରେ ନିଜ କୁଡ଼ିଆରେ ଓ ରାତିରେ ପର ଘରେ ଆଶ୍ରୟ ନେଉଥିବା ବେଳେ ତାର ଦୁର୍ଦ୍ଦଶା ଦେଖି ପଡୋଶୀ ମଧ୍ୟ ମର୍ମାହତ। ମାତ୍ର କରିବେ ବା କ’ଣ। ଆକାଶ କଇଁ ତୋଳିବେ ନା ଚିଲିକା ମାଛ ଖାଇବେ ? ତେବେ ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ତରଫରୁ ଚମ୍ପୁଆ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା। କ୍ୟାମେରା ଆଗରେ କିଛି କହି ନଥିଲେ ସୁଦ୍ଧା ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ ଓ ଏବିଡିଓ ଚୁନୁ ହାଁସଦା ସଙ୍ଗେ ସଙ୍ଗେ ଭୀମଙ୍କ ଘରେ ପହଞ୍ଚି ତାର ସ୍ଥିତି ପରଖି ତାକୁ ଆବାସ ଯୋଜନାରେ ସାମିଲ କରିବାକୁ ଆଶ୍ୱାସନା ଦେଇଥିବା ଜଣାପଡିଛି। ତେବେ କେବେ ଓ କେତେ ଦିନ ପରେ ଭୀମ ବେଣ୍ଟକାର ପ୍ରତି ସରକାରଙ୍କ ସୁଦୃଷ୍ଟି ର ସଫଳତା ମିଳିପାରିବ ତାହା ଦେଖିବାକୁ ବାକି ରହିଲା ?