ପୁରୀ, ଆସନ୍ତା ୧୯ ତାରିଖରେ ଗହ୍ମା ପୂର୍ଣ୍ଣିମା । ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ପିନ୍ଧିବେ ରାକ୍ଷୀ । ଏହି ଦିନ ଭଉଣୀ ସୁଭଦ୍ରା ଦୁଇ ଭାଇଙ୍କୁ ରାକ୍ଷୀ ପିନ୍ଧାଇବା ନୀତି ରହିଛି ।
ଚିତାଲାଗି ଅମାବାସ୍ୟା ପରଠାରୁ ଦୋଳମଣ୍ଡପ ସାହି ସ୍ଥିତ ପାଟରା ବିଷୋୟୀ ସେବକ ସନ୍ତୋଷ ପାତ୍ର ଓ ତାଙ୍କ ପୁତ୍ର ପ୍ରଶାନ୍ତ କୁମାର ପାତ୍ର ରାକ୍ଷୀ ପ୍ରସ୍ତୁତିରେ ନିମଗ୍ନ ଅଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଦୁଇଟି ଓ ବଡଭାଇ ଶ୍ରୀବଳଭଦ୍ର ଦୁଇ ହାତରେ ଦୁଇଟି ଲେଖାଏଁ ରାକ୍ଷୀ ପିନ୍ଧିବେ । ହାତରେ ଦୁଇଟି ଗୁଆମାଳ ପରିଧାନ କରିବେ । ବାସୁଙ୍ଗା ପାଟରେ ପ୍ରାକୃତିକ ରଙ୍ଗ ହଳଦିଆ, ନେଳି ଓ ବାଇଗଣି ରଙ୍ଗରେ ରଙ୍ଗିନ କରିବା ପରେ ମାପ ଅନୁଯାୟୀ ଗୋଲେଇ କରାଯାଇଛି । କାଠ ପାନିଆରେ ସାଇଜ କରି ପାଂଚ ଥାକିଆ ଗୋଲେଇ ରାକ୍ଷୀ ପ୍ରସ୍ତୁତ କରାଯାଉଛି । ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ ହୋଇଛି । ମହାପ୍ରଭୁ ରାକ୍ଷୀ ପରିଧାନ କରି ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ସେବାରେ ପବିତ୍ରତା ନିଷ୍ଠା ରଖି ଶ୍ରଦ୍ଧାର ସହ ସେବକ ଏହି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ।