ନୂଆଦିଲ୍ଲୀ- ନିର୍ବାଚନ କମିଶନର ଶୁକ୍ରବାର ଦୁଇଟି ରାଜ୍ୟ ଜମ୍ମୁ କଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଛନ୍ତି । ଜମ୍ମୁ-କଶ୍ମୀରରେ ତିନୋଟି ପର୍ଯ୍ୟାୟରେ ସେପ୍ଟେମ୍ବର 18, 25 ଓ ଅକ୍ଟୋବର 1ରେ ଭୋଟ ହେବ । ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଅକ୍ଟୋବର 1ରେ ମତଦାନ ହେବ । ଦୁଇଟି ରାଜ୍ୟରେ ଅକ୍ଟୋବର 4ରେ ଭୋଟଗଣତି ହେବ ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସଂନ୍ଧୁଙ୍କ ଉପସ୍ଥିତିରେ ଶୁକ୍ରବାର ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ପ୍ରେସମିଟରେ ଦୁଇଟି ରାଜ୍ୟରେ ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ।
ଜମ୍ମୁକଶ୍ମୀରରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ହେବ । ଏହାସହିତ ହରିୟାଣାରେ ବି ବିଧାନସଭାରେ ନିର୍ବାଚନ ନେଇ ଘୋଷଣା କରିଛନ୍ତି । ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟରେ କିସ୍ତୱାଡ, ଅନନ୍ତନାଗ, ପୁଲୱାମା, ସୋପିୟାଂ, କୁଲଗାମରେ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ରିୟାସୀ, ରାଜୌରୀ, ପୁଂଛ, ବଡଗାଓଁ, ଶ୍ରୀନଗର, ଗାନ୍ଦରବଲରେ ମତଦାନ ହେବ । ତୃତୀୟ ପର୍ଯ୍ୟାୟରେ ବାନ୍ଦିପୋରା, କୁପୱାଡା, ବାରମୂଳା, ଜମ୍ମୁ, ଉଦମପୁର, ସାଂବା ଓ କଠୁଆରେ ମତଦାନ ହେବ ।
ଜମ୍ମୁ କଶ୍ମୀରର 20 ଜିଲ୍ଲାରେ 90ଟି ବିଧାନସାଭ ସିଟ ରହିଛି । ଏଥିରୁ 74ଟି ସାଧାରଣ, 9ଟି ଅନୁସୂଚିତ ଜନଜାତି ଓ 7ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଅଟେ । ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ଜମ୍ମୁକଶ୍ମୀରର 87.09ଲକ୍ଷ ଭୋଟରଙ୍କ ପାଇଁ 9169 ସ୍ଥାନରେ 11,838 ମତଦାନ କେନ୍ଦ୍ର କରାଯାଇଛି । ଭୋଟରଙ୍କ ମଧ୍ୟରେ 44.46 ଲକ୍ଷ ପୁରୁଷ ଓ 42.62 ଲକ୍ଷ ମହିଳା ଅଛନ୍ତି । 3.71 ଲକ୍ଷ ଭୋଟର ପ୍ରଥମ ଥର ଭୋଟ ଦେବେ । 20ରୁ 29 ବର୍ଷ ଯୁବ ଭୋଟରଙ୍କ ସଂଖ୍ୟା 20.7 ଲକ୍ଷ ଅଟେ ।
ହରିୟାଣାର ସମସ୍ତ 90ଟି ସିଟରେ ଗୋଟିଏ ପର୍ଯ୍ୟାୟରେ ଅକ୍ଟୋବର 1ରେ ମତଦାନ ହେବ । ସେପ୍ଟେମ୍ବର 5ରେ ଭୋଟ ପାଇଁ ବିଜ୍ଞପ୍ତି ଜାରି ହେବ । ସେପ୍ଟେମ୍ବର 12ଯାଏ ନାମାଙ୍କନ ଓ ସେପ୍ଟେମ୍ବର 13ରେ ନାମାଙ୍କନ ଯାଂଚ ଓ ସେପ୍ଟେମ୍ବର 16ରେ ନାମାଙ୍କନ ପ୍ରତ୍ୟାହାର କରାଯିବ ।
ହରିୟାଣାର 22ଟି ଜିଲ୍ଲାରେ 90ଟି ବିଧାନସଭା ସିଟ ରହିଛି । ଏଥିରୁ 73ଟି ସାଧାରଣ ଓ 17ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଅଟେ । ବିଧାନସଭା କାର୍ଯ୍ୟକାଳ ନଭେମ୍ବର 3ରେ ଶେଷ ହେବ । ଏଥର 2.01 କୋଟି ଭୋଟରଙ୍କ ପାଇଁ 10.495 ସ୍ଥାନରେ 20,629 ଭୋଟଗ୍ରହଣ କେନ୍ଦ୍ର କରାଯାଇଛି । ଭୋଟରଙ୍କ ମଧ୍ୟରେ 1.06 କୋଟି ପୁରୁଷ, 0.95 କୋଟି ମହିଳା, 40.95 ଲକ୍ଷ 20ରୁ 29 ବର୍ଷ ବୟସର ଯୁବ ଭୋଟର ଓ 4.52 ଲକ୍ଷ ପ୍ରଥମ ଥର ମତଦାନ କରୁଥିବା ଭୋଟର ଅଛନ୍ତି ।