ଭୁବନେଶ୍ୱର– ଅଗଷ୍ଟ୧୭ ଓ ୧୮ ତାରିଖରେ ହେବାକୁ ଥିବା ବିଧାନସଭା ପ୍ରଶିକ୍ଷଣ ଶିବିରକୁ ବୟକଟ କରିବ ବିଜୁ ଜନତା ଦଳ। ବିଜେପି ଦଳୀୟ ଭିତିରେ ଏହି ଶିବିର ଆୟୋଜନ କରୁଛି ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଡାକୁଛି ତେଣୁ ବିଜେଡ଼ି ଏହି ପ୍ରଶିକ୍ଷଣ ଶିବିରକୁ ଯିବନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏନେଇ ପ୍ରମିଳା ମଲ୍ଲିକ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି।
ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ। ଏଥିପାଇଁ ଆସନ୍ତା ୧୭ ଓ ୧୮ ତାରିଖରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଭୟ ଶାସକ ଓ ବିରୋଧୀ ଦଳର ଅଭିଜ୍ଞ ନେତା ନବନିର୍ବାଚିତ ବିଧାୟକଙ୍କୁ ଟ୍ରେନିଂ ଦେବେ। ବିଧାନସଭାର କାର୍ଯ୍ୟବିଧି, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ବଜେଟ ବ୍ୟବସ୍ଥା ଜାଣିବା ସହ ଲୋକଙ୍କ ହିତରେ ଆଲୋଚନା କେଉଁ ଢଙ୍ଗରେ କରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ।