ଭୁବନେଶ୍ୱର– ଭତା ବୃଦ୍ଧି କରିବାକୁ ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହାକୁ ପାଳନ କରିନାହିଁ। ଏନେଇ ୧୬ ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବ। ପ୍ରତି ପଂଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ। ପ୍ରତିଟି କର୍ମୀ ତଥା ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି।
ନବୀନ ତାଙ୍କ ଏକ୍ସ ଆଇଡି ରେ ଲେଖିଛନ୍ତି ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତାଧାରୀଙ୍କୁ ୩,୦୦୦ ତଥା ୩,୫୦୦ ଟଙ୍କା ଭତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ। ହେଲେ ବଜେଟରେ କୁହାଯାଉଛି ଯେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତା ପାଇବେ। ୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ। ଏଥିରୁ ପୁରା ସ୍ପଷ୍ଟ ହେଉଛି, ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଭତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି। ଏପରି ପ୍ରତାରଣା ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼ାଇଛି।
ଏନେଇ ୧୬ ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରତି ପଂଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ। ପ୍ରତିଟି କର୍ମୀ ତଥା ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ।
ମୁଁ ଆଶା କରୁଛି, ବିଜେପି ଓଡ଼ିଶାର ଲୋକଙ୍କୁ ଭୁଆଁ ନ ବୁଲେଇ, ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କରିବ। ବିଜେପି ନିଜ ପ୍ରତିଶ୍ରୁତି ପୂରଣ ନ କରିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ନିକଟରେ ଏହାକୁ ପହଞ୍ଚାଇବା ପାଇଁ ବିଜେଡି ସର୍ବଦା ନିଜର ଅଭିଯାନ ଜାରି ରଖିବ ବୋଲି ନବୀନ ଲେଖିଛନ୍ତି।