ଜଳେଶ୍ୱର- ପର୍ଯ୍ୟଟନ ଋତୁରେ ଦୀଘା ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ମହିଳାଙ୍କୁ ଓଡ଼ିଶାରେ ଏକ ଲଜ୍ ରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ତାଳସାରି ମେରାଇନ୍ ଥାନା ଅଂଚଳରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ । ପୀଡ଼ିତାଙ୍କ ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ଘଟଣାରେ କାହାରିକୁ ଗିରଫ କରିନାହିଁ ।
ପଶ୍ଚିମବଙ୍ଗ ରାଜ୍ୟର ଜଣେ ମହିଳା ଗତକାଲି ଦୀଘା ବୁଲିବାକୁ ଆସିଥିଲେ । ବୁଲାବୁଲି ସାରି ସେ ଦୀଘା ରେଳ ଷ୍ଟେସନକୁ ଯାଇଥିଲେ । ରାତି ହୋଇଯାଇଥିବାରୁ ପଶ୍ଚିମବଙ୍ଗକୁ କୌଣସି ଟ୍ରେନ୍ ମିଳିନଥିଲା । ତେଣୁ ସେ ଷ୍ଟେସନରେ ଟ୍ରେନ୍ କୁ ଅପେକ୍ଷା କରିଥିଲେ । କିଛି ସମୟ ପରେ ଜଣେ ବ୍ୟକ୍ତି ତାଙ୍କୁ ରାତିରେ ନିଜ ଘରେ ଆଶ୍ରୟ ଦେବ ବୋଲି କହି ସାଙ୍ଗରେ ନେଇ ଯାଇଥିଲା । ହେଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କୁ ନିଜ ଘରକୁ ନେବା ପରିବର୍ତେ ଏକ ଲଜ୍ କୁ ନେଇଯାଇଥିଲା । ସେଠାରେ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଆଜି ସକାଳେ ପୀଡ଼ିତା ମହିଳା ଏନେଇ ତାଳସାରି ମେରାଇନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଲଜ୍ ର ମ୍ୟାନେଜରଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ହେଲେ ବର୍ତମାନ ସୁଦ୍ଧା ଘଟଣାରେ କାହାରିକୁ ଗିରଫ କରିନାହିଁ ।
ପ୍ରକାଶ ଥାଉକି, ଗତ ଜୁଲାଇ ୯ ତାରିଖରେ ତାଳସାରି ମେରାଇନ୍ ଥାନା ଅଂଚଳରେ ସଂଗଠିତ ଅନ୍ୟ ଏକ ଘଟଣାରେ କଲିକତାରୁ ଦିଘା ବୁଲି ଆସିଥିବା ଦୁଇ ଯୁବତୀଙ୍କୁ ତିନି ଜଣ ଯୁବକ ଭୋଗରାଇ ସ୍ଥିତ ଏକ ଗେଷ୍ଟ ହାଉସ୍ କୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ସମ୍ପୃକ୍ତ ଗେଷ୍ଟ ହାଉସ୍ ର ମ୍ୟାନେଜର ଓ କର୍ମଚାରୀ ମାନେ ଦୁଷ୍କର୍ମ ସମୟର ଭିଡ଼ିଓ ରେକଡର଼୍ କରିଥିବା ଅଭିଯୋଗ ହୋଇଥିଲା । ଜୁଲାଇ ୧୦ ତାରିଖରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଜଣେ ମହିଳା ପର୍ଯ୍ୟଟକ ଦୁଷ୍କର୍ମର ଶିକାର ହେବା ଅଭିଯୋଗ ସାମ୍ନାକୁ ଆସିଛି । ଯାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଓ ଢ଼ିଲା ପେଟ୍ରୋଲିଂ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।