ଜୟପୁର- ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଉପାନ୍ତ ଅଂଚଳରେ ଏହାର ବିକାଶ ଶୁନ୍ । ଏଠାରେ ପ୍ରଶାସନିକ ଅଧିକାରିଙ୍କ ନା ଅଛି ଆନ୍ତରିକତା ନା ଅଛି ବିକାଶର ଚିନ୍ତା । ଜିଲାକୁ ପ୍ରକୃତିର ଗନ୍ତା ଘର କୁହାଯାଉଥିଲେ ବି ପ୍ରଶାସନ ନାକ ତଳେ ଥିବା ଏକ ପର୍ଯ୍ୟଟନ ସ୍ଥଳି ଏବେ ଅବହେଳିତ ନିଷ୍ପେସିତ ହୋଇ ଧିରେ ଧିରେ ରୁଗଣ ଅବସ୍ଥାରେ ଆସିବାକୁ ଲାଗିଛି । କୋରାପୁଟ ଜିଲାରେ ଭ୍ରମଣାର୍ଥୀଙ୍କ ପାଇଁ ବହୁ ପର୍ଯ୍ୟଟନ ସ୍ଥଳୀ ରହିଥିଲେହେଁ ବିଭାଗୀୟ କର୍ମକର୍ତାଙ୍କ ଉଦାସୀନତା ଯୋଗୁଁ ସେ ସବୁର ଅବସ୍ଥା ଶୋଚନୀୟ ଅବସ୍ଥାରେ ପହଂଚିଛି । ଜିଲାରେ ଇକୋ ଟୁରିଜିମ୍ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ପ୍ରାରମ୍ଭିକ ଅବସ୍ଥାରେ ଠିକ୍ ରହିଥିବାବେଳେ ପରବର୍ତି ସମୟରେ ଏହା ଶୋଚନୀୟ ହୋଇପଡିଛି ।
ଜିଲାର ସଦର ମହକୁମା ଠାରୁ ୧୨ କିଲୋମିଟର ଦୂରରେ ରହିଛି କୋଲାବ ଜଳ ଭଣ୍ଡାର । ଜଳ ଭଣ୍ଡାର ନିକଟରେ ରହିଛି ସୁଉଚ୍ଚ ପାହଡ ଏବଂ ଏହା ପ୍ରକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହୋଇଥିବାବେଳେ ୨୦୧୧ ମସିହାରେ ସରକାର ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀ ରୂପେ ନିର୍ମାଣ କରିବା ପାଇଁ ପଦକ୍ଷେପ ନେଇଥିଲେ । ଏଥି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ କୋଲାବ ଡ୍ୟାମ ନିକଟରେ ତିନୋଟି ପର୍ଯ୍ୟଟନ ପ୍ରକଳ୍ପ ଖୋଲିଥିଲେ । ସେଗୁଡିକ ହେଲା ନୌକା ବିହାର କେନ୍ଦ୍ର, ଶିଶୁ ଉଦ୍ୟାନ ଓ ବିଜ୍ଞାନ ଉଦ୍ୟାନ । ଏହି ତିନୋଟିକୁ ମିଶାଇ ନାମକରଣ କରାଯାଇଥିଲା ବିଜୁ ପଟ୍ଟନାୟକ ସମନ୍ୱିତ ପର୍ଯ୍ୟଟନ କେନ୍ଦ୍ର । ଏହାକୁ ୨୦୧୧ ମସିହାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଉଦଘାଟନ ପରେ ଏହି ପର୍ଯ୍ୟଟନ କେନ୍ଦ୍ରରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଭିଡ଼ ଜମାଉଥିଲେ । କିନ୍ତୁ, ବିଭାଗୀୟ କର୍ମକର୍ତାଙ୍କ ଉଦାସୀନତା ଯୋଗୁଁ ଏହା ଏବେ ଲୀନ ହେବାରେ ବସିଛି । ଏହି କେନ୍ଦ୍ରରେ ନୌଚାଳନା କେନ୍ଦ୍ରଟି ବନ୍ଦ ହୋଇଯାଇଥିବା ବେଳେ ସାଇନ୍ସ ପାର୍କରେ ପ୍ରକଳ୍ପ ଗୁଡିକ ଉପରେ ବିରାଟକାୟ ଜଙ୍ଗଲି ବୁଦା ମାନ ମାଡି ବସିଛି । ସେହିପରି ପୁଷ୍ପ ଉଦ୍ୟାନରେ ଗୋଟିଏ ହେଲେ ଫୁଲ ଗଛ ନଥିବାବେଳେ ଉଦ୍ୟାନରେ ମଇଳା, ମଦ କାଚ, ଜରି ଆଦି ବର୍ଜ୍ୟବସ୍ତୁ ପଡି ରହିଛି । ଏହାକୁ ଦେଖି ପ୍ରଥମ କରି ଆସୁଥିବା ପର୍ଯ୍ୟଟକ ପୁର୍ନବାର ଆସିବାକୁ ମନ ବଳାଇବ ନାହିଁ । ପର୍ଯ୍ୟଟନ କେନ୍ଦ୍ରଟି ବିବିଧ ସମସ୍ୟାଘେରରେ ରହିଥିବାବେଳେ ଦାୟୀତ୍ୱରେ ଥିବା ଅଧିକାରୀ ଅନ୍ୟ ଉପରେ ଦୋଷ ଲଦି ଖସି ଯିବାକୁ ଚେଷ୍ଟା କରୁଛନ୍ତି । ସେହିପରି ନୌକା ବିହାର କଥା ନକହିବା ଭଲ । ସେଠାରେ ସରକାରୀ ନୌକା ଆଉ ଚାଲୁ ନାହିଁ । ପ୍ରକଳ୍ପ ଉଦଘାଟନ ପରେ ନୌକା ବିହାର କେନ୍ଦ୍ରଟିକୁ ସରକାରୀ ଭାବେ ଠିକାଦାରଙ୍କୁ ନିଲାମୀ ଦିଆଯାଇ ଥିବା ବେଳେ ବାତ୍ୟା ଯୋଗୁଁ ଡ଼ଙ୍ଗା ଗୁଡିକ ନଷ୍ଟ ହୋଇଯାଇଥିଲା । ସେହି ଦିନ ଠାରୁ ସରକାରୀ ଡଙ୍ଗା ଘାଟ ବନ୍ଦ ରହିଥିବାବେଳେ ଆଉ ନୌକା ବିହାର ଚାଲୁ ନାହିଁ । ପର୍ଯ୍ୟଟନ କେନ୍ଦ୍ରଟି ଆରମ୍ଭ ସମୟରେ ଫୁଲ ବଗିଚାରେ ବିଭିନ୍ନ କିସମର ବହୁ ଫୁଲ ଗଛ ରହିଥିବାବେଳେ ତାହା ଆଗନ୍ତୁକଙ୍କୁ ବେଶ୍ ଆକର୍ଷଣ କରୁଥିଲା । କେନ୍ଦ୍ରରେ ୭ରୁ ୮ଟି ଫୁଲ ବଗିଚା ରହିଥିବାବେଳେ ବର୍ତମାନ ଗୋଟିଏ ବି ଫୁଲ ବଗିଚା ନାହିଁ । ସବୁଠାରେ ଅଳିଆ ଅବର୍ଜନାରେ ଭରପୁର । କିନ୍ତୁ, ପ୍ରତିଫୁଲ ବଗିଚାରେ ସାଇନ ବୋର୍ଡ ରହିଛି ଏଠାରେ ଫୁଲ ତୋଳିବା ମନା । କେତେକ ସ୍ଥାନରେ ବିସ୍କୁଟ ଜରି ଠାରୁ ଆରମ୍ଭ କରି ମଦ ବୋତଲ ପଡି ରହିଛି । ସେହିପରି ପର୍ଯ୍ୟଟନ କେନ୍ଦ୍ରଟିକୁ ଶୁଭ ଦେବା ସମୟରେ ସାଇନ୍ସ ପାର୍କରେ ୪୦ଟି ପ୍ରକଳ୍ପ ରହିଥିବାବେଳେ ସେଥିମଧ୍ୟରୁ ୧୦ଟି ପ୍ରକଳ୍ପକୁ ନିର୍ମାଣ ନାମରେ କାଢି ନିଆଯାଇଥିଲା । ବଳକା ୩୦ଟି ପ୍ରକଳ୍ପ ମଧ୍ୟରୁ କେତୋଟିକୁ ଜଙ୍ଗଲି ବୁଦା ମାଡି ବସିଥିବାବେଳେ ଆଉ କେତେକ ଭଗ୍ନ ଅବସ୍ଥାରେ ରହିଛି ।
ଅନୁରୂପ ଭାବେ କୋଲାବ ନଗରସ୍ଥିତ ବିଜୁ ପଟ୍ଟନାୟକ ପର୍ଯ୍ୟଟନ କେନ୍ଦ୍ରର ଅବ୍ୟବସ୍ଥାକୁ ଦେଖି ଭ୍ରମଣାର୍ଥୀ ଥରେ ଆସିଲେ ଆର ଥରକୁ ମନ ବଳାଉ ନଥିବାବେଳେ ଏଥିଯୋଗୁଁ କେନ୍ଦ୍ରର ରାଜସ୍ୱ ହାନୀ ଘଟିଛି । ପର୍ଯ୍ୟଟନ କେନ୍ଦ୍ରର ପ୍ରବେଶ ଫି’ ଛୋଟ ପିଲାଙ୍କୁ ୫ ଟଙ୍କା ରହିଥିବାବେଳେ ବଡ ଲୋକଙ୍କୁ ୧୦ ଟଙ୍କା ଆଦାୟ କରୁଛନ୍ତି । ବାଇକ୍ ପିଛା ୫ ଟଙ୍କା ଓ ବସ୍ ପିଛା ୫୦ ଟଙ୍କା, ଚାରିଚକିଆ ପିଛା ୧୦ ଟଙ୍କା ଆଦାୟ କରାଯାଉଛି । ଜଣକ ପିଛା ୧୦ ଟଙ୍କା ଟିକେଟ ଆଦାୟ କରାଯାଉଥିବା ବେଳେ ଭିତରେ କିନ୍ତୁ ଦେଖିବାକୁ ଗଛ ନାହିଁ । ଶାନ୍ତିରେ ବସିବା ପାଇଁ ଗୋଟିଏ ଭଲ ଘାଷ ଗାଲିଚା ନାହିଁକି ମନୋରମ ପାଇ ଫୁଲ ଗଛ ମଧ୍ୟ ନାହିଁ । ରାଜସ୍ୱ ସଂଗ୍ରହ କରିବାରେ ବିଭାଗ ଆଗଭର ଥିବାବେଳେ ପର୍ଯ୍ୟଟକଙ୍କ ନିମନ୍ତେ ଏଠାରେ ସାମାନ୍ୟ ସୁବିଧା ମଧ୍ୟ ନାହିଁ । ଏଠାରେ ବିଶେଷ କରି ମୋବାଇଲ ଟାୱାର ଲିଙ୍କ୍ ନଥିବା ବେଳେ ପାନୀୟ ଜଳର ଅଭାବ ରହିଛି । ପରମଳ ବ୍ୟବସ୍ଥା ଠିକ୍ ନାହିଁ । ଏଠାରେ ୩୧ା୧୨ା୧୭ ରେ ୧୭୦୮୫ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୧ା୧ା୧୮ ରେ ୪୩,୪୫୫ ଟଙ୍କା, ୩୧ା୧୨ା୧୮ ରେ ୭୪୩୫ ଟଙ୍କା ରାଜସ୍ୱ ଅଦାୟ ହୋଇଛି । ୧ା୧ା୧୯ ରେ ୩୬,୫୩୦ ଟଙ୍କା ଆଦାୟ ହୋଇଥିବା ବେଳେ ୩୧ା୧୨ା୧୯ ରେ ୮୨୮୫ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ଚଳିତ ନୂଆ ବର୍ଷରେ ୧ା୧ା୨୦୨୦ ରେ ୪୧ ୩୮୦ ଟଙ୍କା ଆଦାୟ ହୋଇଛି । କ୍ରମାଗତ ଭାବେ ନୂଆ ବର୍ଷରେ ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ସେହିପରି ପର୍ଯ୍ୟଟନ କେନ୍ଦ୍ର ମଧ୍ୟରେ ଥିବା ମ୍ୟୁଜିୟମ ତଥା ମଡେଲ ରୁମଟି ଆଜି ପର୍ଯ୍ୟନ୍ତ ଖୋଲା ଯାଇପାରି ନାହିଁ । ପର୍ଯ୍ୟଟନ କେନ୍ଦ୍ରରେ କୌଣସି ସୁବିଧା ନଥିବାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମି ଆସୁଛି । ପର୍ଯ୍ୟଟକ ମାନେ ବାରମ୍ବାର ପ୍ରଶାସନ ଅଧିକାରିଙ୍କ ନିକଟରେ ଏନେଇ ଅଭିଯୋଗ କଲେ ମଧ୍ୟ ଅଧିକାରି ମାନେ କିଛି କର୍ଣ୍ଣପାତ କରୁନଥିବା ଜଣାଯାଇଛି । ତେଣୁ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ସହ ଜିଲା ପ୍ରଶାସନ ସମମ୍ୟାର ସମିକ୍ଷା କରିଲେ ସବୁ କିଛି ସମାଧାନ ହୋଇପାରନ୍ତା ବୋଲି ସାଧାରଣରେ ଆଶା ପ୍ରକଟ କରାଯାଇଛି ।