-
ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ
-
ବଣ୍ଡାଘାଟିରେ ପାହାଡ଼ ଧସି ରାସ୍ତା ଅବରୋଧ
ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ୩୨୬ ନଂ ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ରାସ୍ତାର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି-୯୦, ଏମଭି-୯୬ ଓ ମହାରାଜପାଲି ଠାରେ ଥିବା ପୋଲ ଗୁଡିକ ଉପରେ ୪ରୁ ୫ ଫୁଟ୍ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି । ସେହିପରି କାଲିମେଳା-ପଡିଆ ମୁଖ୍ୟ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ୩ରୁ ୪ ଫୁଟ୍ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୋଲ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇ ଲୋକଙ୍କୁ ସେହିବାଟ ଦେଇ ଯିବାକୁ ବାରଣ କରାଯାଉଛି ।
ପ୍ରବଳ ବର୍ଷା ଯୋଗୁଁ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଛି । ଏଥିଯୋଗୁଁ ଅଣ୍ଡ୍ରାହାଲ ଓ ମୁଦୁଲିପଡ଼ା ପଂଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ବର୍ତମାନ ମାଲକାନଗିରି-ଜୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ପାଙ୍ଗାମ ପୋଲ ଉପରେ ୨ ଫୁଟ୍ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଡ଼ିଓ ଓ ତହସିଲଦାର ମାନଙ୍କୁ ନଦୀକୂଳବର୍ତି ଅଂଚଳରେ ରହିଥିବା ଗ୍ରାମବାସୀଙ୍କୁ ଆଣି ବାତ୍ୟା ଆଶ୍ରୟସ୍ଥଳି ଓ ବିଭିନ୍ନ ଉଚ୍ଚ ସ୍ଥାନରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ମାଲକାନଗିରି ସଦର ମହକୁମାରେ ପ୍ରବଳ ବର୍ଷା ଯୋଗୁଁ ବସଷ୍ଟାଣ୍ଡ ନିକଟ ବାଲିସାଗରକୁ ଲାଗି ରହିଥିବା ଲୋକଙ୍କ ଘର ଗୁଡିକରେ ପଶିଛି ପାଣି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । କ୍ଷତିପୂରଣ ଦାବିରେ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।