ଜୟପାଟଣା- ଜୟପାଟଣା ପଞ୍ଚାୟତ ସମିତି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଆନନ୍ଦ ଉଲ୍ଳାସ ମଧ୍ୟରେ ସମାପିତ ହୋଇଯାଇଛି । ଲୋକ କଳା, ଲୋକ ସଂଗୀତ, ଲୋକ ବାଦ୍ୟ, ସଂସ୍କୃତି ଓ ପରମ୍ପରାକୁ ଲୋକାଭିମୁଖି କରିବା ସଂକଳ୍ପକୁ ନେଇ ଆରମ୍ଭ ହୋଇଥିବା ଘୁମୁରା ଆଜି ତାର ଲକ୍ଷ୍ୟ ପଥରେ ପହଞ୍ଚି ୨୪ ବର୍ଷରେ ପାଦ ଥାପି ଥିବା ପ୍ରମାଣ କରିସାରିଥିବା ବିଭିନ୍ନ ବକ୍ତାମାନେ ପ୍ରକାଶ କରିଛନ୍ତି । ୧୦, ୧୧ ଦୁଇ ଦିନ ଧରି ଚାଳିଥିବା କଳାହାଣ୍ଡି ଉତ୍ସବ ଘୁମୁରା ଶନିବାର ରାତିରେ ଉଦ୍ଯାପିତ ହୋଇଯାଇଛି ।
ଏହି ଅବସରରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଓ କ୍ରୀଡ଼ା ଚାଲିଥିବା ବେଳେ ସନ୍ଧ୍ୟାରେ ପୁରସ୍କାର ବିତରଣ ଓ ସାଂସ୍କୃତିକ ମହୋତ୍ସବ ସମବେତ ଜନତାଙ୍କ ପାଇଁ ବେଶ୍ ଆକର୍ଷଣୀୟ ଥିଲା । ପୁରସ୍କାର ବିତରଣ ଉତ୍ସବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଡ଼ା. ଉମେଶ ସତପଥୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, ଅବସର ପ୍ରାପ୍ତ ପ୍ରଶାସକ ବୀର କିଶୋର ପଣ୍ଡା, ବି.ଡ଼ି.ଓ. ଐଶ୍ୱର୍ଯ୍ୟା ସାମନ୍ତରାୟ, ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବିବିଧ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ରଖିଥିବା ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମୀନା ମୁଣ୍ଡ, ଶିକ୍ଷକ ହରେକୃଷ୍ଣ ଦାସ, ବାଳ ଗୋପାଳ ନିକେତନ ର ସଂସ୍ଥାପକ ହେମନ୍ତ କୁମାର ମୁଣ୍ଡ, ଯୁବ ପ୍ରତିଭା ଚିତ୍ତ ରଞ୍ଜନ ଦଳପତିଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ବଡ଼କର୍ଲାକୋଟ ସମିତି ସଭ୍ୟ ଯୁଧିଷ୍ଠିର ସୁନାଙ୍କୁ ଉତ୍ସବରେ ଯଥେଷ୍ଟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା । ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଜୟପାଟଣା ଗ୍ରାମପଞ୍ଚାୟତକୁ ସର୍ବ ଶ୍ରେଷ୍ଠ ସମ୍ମାନ ଦିଆଯାଇଥିଲା । ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବିଶ୍ୱାତ୍ମ ବିଦ୍ୟାମନ୍ଦିର, ଦ୍ରୌଣାଚାର୍ଯ୍ୟ ସ୍କୁଲ, ଚନ୍ଦ୍ରଭାନୁ ଇଂଙ୍ଗ୍ଲିସ୍ ମିଡ଼ିୟମ ସ୍କୁଲ, ବାନେର ସ୍ଥିତ ଜେମ୍ସ୍, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସାଙ୍ଗକୁ ଟିଟିଲାଗଡ଼, ଲୋଇସିଂଙ୍ଗା, ଭବାନୀପାଟଣା ର ବିଭିନ୍ନ ସଂଗଠନ ଉଚ୍ଚ କୋଟିର କଳା ପ୍ରଦର୍ଶନ କରିଥିଲେ ।
ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅଧ୍ୟାପକ ମାନସ ପଣ୍ଡା, ସିଦ୍ଧାର୍ଥ ମିଶ୍ର, ଯଶୋଦା ପଟ୍ଟନାୟକ, ସତ୍ୟବତୀ ତ୍ରିପାଠି, ତୀର୍ଥରାଜ ଦଳପତି, ଶଙ୍କର ଦୟାଲ ସିଂ, ଅବିନାଶ ନନ୍ଦ ପ୍ରମୁଖ ସଂଯୋଜନା କରିଥିଲେ । ଶିକ୍ଷକ ଦିବାକର ପଟ୍ଟନାୟକ ଅଧ୍ୟାପକ ପ୍ରତାପ ଦାସ ଅଧିକାରୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେଙ୍କ ନେତୃତ୍ୱରେ ସମସ୍ତ କନିଷ୍ଠ ଯନ୍ତ୍ରୀ, ଇ.ଓ. ଓ ବିଭିନ୍ନ ନାରୀ ସଂଗଠନ, ଜୀବିକା ମିଶନ ସମୁହ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପରେଖ ଦେଇଥିଲେ । ମଞ୍ଚ ପରିସରରେ ବିଭିନ୍ନ ଯୋଜନା ସମ୍ପର୍କିତ ଷ୍ଟଲ୍ ସାଧାରଣ ଜନତାଙ୍କୁ ଆକର୍ଷିତ କରିଥିଲା ।