ଭୁବନ- ଭୁବନର ସର୍ବ ପୁରାତନ ତଥା ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ‘ବାଣୀ ସାହିତ୍ୟ ସଂସଦ’ ତରଫରୁ ସ୍ଥାନୀୟ ପାଲାମଣ୍ଡପସ୍ଥିତ ହନୁମାନ ମନ୍ଦିର ପରିସରରେ କବି,ଲେଖକ ଓ ସାହିତ୍ୟିକ ମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ବାଣୀ ସାହିତ୍ୟ ସଂସଦ’ ର ସ୍ଥାୟୀ ସଭାପତି ତଥା ସାରସ୍ୱତ ସାଧକ ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ମା ବାଣୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରି କହିଥିଲେ ଯେ, କବି, ଲେଖକ, ସାହିତ୍ୟିକ ଓ ସାମ୍ବାଦିକ ମାନେ ଏକତ୍ରିତ ହେଲେ ସମାଜରେ ପରିବର୍ତନ ଆଣିପାରିବେ, କାରଣ ଏହି ମାନେ ହିଁ ବାସ୍ତବରେ ପରିବର୍ତନର ବାର୍ତାବହ ବୋଲି ଶ୍ରୀଯୁକ୍ତ ହୋତା ମତବ୍ୟକ୍ତ କରିଥିଲେ । କବି ଚିତରଂଜନ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଚିତ୍ରଶିଳ୍ପୀ ନାରାୟଣ ସାହୁଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବୟିତ୍ରୀ ତୁଳସୀରାଣୀ ବେହେରା, ଲଳିତା ନାୟକ, କବି ଉଦ୍ଧବ ମହାପାତ୍ର, ଲଳିତ କୁମାର ବେହେରା, ଶ୍ରୀଧର ବେହେରା, ଦେବରାଜ ପୃଷ୍ଟି, କୈଳାସ ସାଥୁଆ ମହାପାତ୍ର, ସୁରେନ୍ଦ୍ର ପୃଷ୍ଟି, ଲିଙ୍ଗରାଜ ବେହେରା ପ୍ରମୁଖ ୨୫ ରୁ ଉଦ୍ଧ୍ୱର୍ କବି, ଲେଖକ ଯୋଗଦେଇ ସ୍ୱରଚିତ କବିତା ପାଠୋତ୍ସବ ମାଧ୍ୟମରେ ନବବର୍ଷକୁ ସ୍ୱାଗତ କରିଥିଲେ ।
ଏହି ଅବସରରେ କବି ଚିତ ରଂଜନ ମିଶ୍ରଙ୍କ ପୂର୍ବରୁ ପ୍ରକାଶିତ ହେଉଥିବା ସାପ୍ତାହୀକ ପତ୍ରିକା ‘ଭୁବନ’ ର ପୁନଃ ପ୍ରକାଶନ ପାଇଁ ଘୋଷଣା କରାଯାଇଥିଲା । ‘ବାଣୀ ସାହିତ୍ୟ ସଂସଦ’ ର ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଓ ସଂପାଦିକା ବାସନ୍ତୀ କୁମାରୀ ମିଶ୍ର ୟୁରୋପ ଭ୍ରମଣ ଯାଉଥିବା ଅବସରରେ ତାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କ ଯାତ୍ରା ସଫଳ ନିମନ୍ତେ ପ୍ରଭୁ ହନୁମାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।