
ପୁରୀ– ଗୁରୁବାର ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗୁରୁବାର ଦିନ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିବ । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି ଯେ, ସେହିଦିନ ଭିତର ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ବିଚାରବିମର୍ଶ ପରେ ଆଜି ଏହି ନିଷ୍ପତି ନିଆଯାଇଛି । ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ଶୁଭ ସମୟ ରହିଛି ସକାଳ ୯ଟା ୫୧ ରୁ ଦିନ ୧୨ଟା ୧୫ । ୧୧ ଜଣିଆ ଅଧିକୃତ କମିଟି ଭିତରକୁ ଯିବେ । କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଭିତରକୁ ଯିବେ ନାହିଁ । ଭିତର ରତ୍ନଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରଣ କରାଯିବ । ସିନ୍ଧୁକ ଓ ଆଲମିରାରେ ଥିବା ଅଳଙ୍କାରକୁ ସ୍ଥାନାନ୍ତରଣ କରାଯିବ । ଶ୍ରୀଜୀଉଙ୍କ ଖଟ ଶେଜ ଘରକୁ ସ୍ଥାନାନ୍ତରଣ କରାଯିବ ଏସବୁ ଅଳଙ୍କାର । ଏସବୁ ଅଳଙ୍କାରକୁ ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାରର ତାଲା ସିଲ୍ ହେବ । ତାଲାକୁ ଜଉମୁଦ ସିଲ୍ କରାଯାଇ ଏହାର ଚାବିକୁ ଟ୍ରେଜେରୀରେ ରଖାଯିବ । ଏପରିକି ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡ଼ିଓଗ୍ରାଫି ମଧ୍ୟ କରାଯିବ ।
ଏଥି ନିମନ୍ତେ ସେଦିନ ପ୍ରାୟ ସକାଳ ୮ଟା ଠାରୁ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିବ । ସକାଳ ୯ଟା ପରେ କମିଟିର ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।