-
ଏଇ ମକର ସଂକ୍ରାନ୍ତିରେ ଫକୀରମୋହନଙ୍କ ଜୟନ୍ତୀ ପାଇଁ ଏହା ହେବ ବାଲେଶ୍ଵରୀ ବିସ୍ମୟ
ବାଲେଶ୍ଵର- (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ସଂକ୍ରାନ୍ତି ପୁରୁଷ ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଆଉ ମାତ୍ର ଦୁଇଦିନ ବାକି ଥିବା ବେଳେ ଆଜି ବାଲେଶ୍ଵରର ପ୍ରତିଭାବାନ ତରୁଣ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ଫକୀରମୋହନଙ୍କୁ ଆବକ୍ଷ ଚକ୍ ଖଡି ଦେହରେ କାର୍ଭିଂ ଦ୍ଵାରା ଗଢି ଇତିହାସ ରଚିଛନ୍ତି। ଶ୍ରୀରାଉଳ ଗୋଟିଏ ଚକ୍ ଖଡି ଦେହରେ ଖୋଦେଇ କରି କଥାସମ୍ରାଟ ଫକୀରମୋହନଙ୍କୁ ଅବିକଳ ଆଙ୍କିପାରିଛନ୍ତି। କୁହାଯାଉଛି ଏହା ବିଶ୍ଵର ସବୁଠୁ କ୍ଷୁଦ୍ରତମ ଫକୀରମୋହନ।ଭାସ୍କର୍ଯ୍ୟ କଳାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରି ସଂପ୍ରତି କଳାଛାତ୍ରଙ୍କୁ ଶିକ୍ଷାଦାନ ଦେଉଥିବା ସଞ୍ଜୟ ଫକୀରମୋହନଙ୍କ ଆତ୍ମଜୀବନୀ ପଢିବା ପରେ ଏପରି ଏକ ଖିଆଲ୍ ର ବଶବର୍ତ୍ତୀ ହୋଇଥିଲେ। କାଠ, ପଥର, ମାଟି, ଫାଇବର୍ ଇତ୍ୟାଦିରେ କାର୍ଭିଂ କରି ବିଭିନ୍ନ ପ୍ରତିକୃତି କରାଯାଉଥିବା ବେଳେ ଗୋଟିଏ ଆଙ୍ଗୁଠି ପରିମାପର ଚକ୍ ଖଡିକୁ କାର୍ଭିଂ କରି ଅବିକଳ ଫକୀରମୋହନଙ୍କ ପ୍ରତିମୂର୍ତ୍ତି ଗଢିବାରେ ସଫଳ ହୋଇଛନ୍ତି ସେ। ଆଗାମୀ ୧୫ ତାରିଖ ମକର ସଂକ୍ରାନ୍ତି ଦିନ ବାଲେଶ୍ଵର କବିତୀର୍ଥ ଶାନ୍ତିକାନନ ଠାରେ ୧୭୮ତମ ଜୟନ୍ତୀ ପାଳନ ଅବସରରେ ଅତିଥିଙ୍କୁ ଫକୀରମୋହନଙ୍କ ଏ୍ଇ କ୍ଷୁଦ୍ରତମ ଆବକ୍ଷ ଚକ୍ ଖଡି ପ୍ରତିଛବିକୁ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି କହିଛନ୍ତି।
“ଉଡ଼ିଆ ଏକଟା ଭାଷା ନୟ ବୋଲି କହିଥିବା କାନ୍ତିଲାଲଙ୍କ ଚକ୍ରାନ୍ତକୁ ପଣ୍ଡ କରି ଫକୀରମୋହନ ସେନାପତି ଓଡ଼ିଆ ଭାଷାକୁ ବଞ୍ଚାଇଥିଲେ। ସେଇ ଭାଷାର ତ୍ରାଣକର୍ତ୍ତାଙ୍କୁ କିପରି ଶ୍ରଦ୍ଧା ନିବେଦନ କରିବି ଭାବୁଥିବା ବେଳେ ଚକ୍ ଖଡି ଆଇଡିଆଟି ମୋ ମୁଣ୍ଡକୁ ଆସିଥିଲା। ଶିକ୍ଷା ପ୍ରାରମ୍ଭର ପ୍ରଥମ ପାହାଚରେ ଆମେ ଚକ୍ ଖଡି ମାଧ୍ୟମରେ ଯାହାକିଛି ଶିଖୁ। ସୁତରାଂ ସମସ୍ତ ଶିକ୍ଷାର ଆଦ୍ୟ ଆବଶ୍ୟକତା ହେଲା ଏଇ ଚକ୍ ଖଡି। ତେଣୁ ମୋ ଭାଷାର ଶିଖର ପୁରୁଷଙ୍କୁ ଏଇ ଚକ୍ ଖଡି ଦେହରେ ଫୁଟେଇବି ବୋଲି ଭାବିଲି ଓ କଲି”, କହନ୍ତି ଶିଳ୍ପୀ ସଞ୍ଜୟ ରାଉଳ।
ପୂର୍ବରୁ କେହି ବି ଫକୀରମୋହନଙ୍କର ଏପରି ଏକ ଛବି ଚକ୍ ଖଡିରେ କରିନଥିବା ବେଳେ ସଞ୍ଜୟଙ୍କର ଏପରି ଏକ ପ୍ରୟାସ ବାଲେଶ୍ଵରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସବୁଠୁ ବଡ ସଂଯୋଗ ହେଉଛି, ସଞ୍ଜୟଙ୍କ ଜନ୍ମ ମଧ୍ୟ ମକର ସଂକ୍ରାନ୍ତି ଦିନ ହୋଇଥିଲା।
ସୂଚନା ଅନୁସାରେ, ଏ ପ୍ରକାର କାର୍ଯ୍ୟ ପାଇଁ କେବଳ ଗୋଟିଏ ଚକ୍ ଖଡି ଓ ଗୋଟିଏ ନିଡିଲ୍ ସହିତ ଦରକାର ପ୍ରଚୁର ଏକାଗ୍ରତା। ଏଥିପାଇଁ ସମୟ ଦୁଇରୁ ତିନି ଘଣ୍ଟା ଲାଗୁଥିବା ବେଳେ ନିରବଚ୍ଛିନ୍ନ ଭାବେ କଲେ ଆଖି ବିନ୍ଧିଥାଏ। ତେବେ କାର୍ଯ୍ୟଟି ବେଶ୍ ସୂକ୍ଷ୍ମ ଓ ଏଥିପାଇଁ ଶିଳ୍ପୀଙ୍କ ଆଗ୍ରହ ଯୋଗୁଁ ଆଗାମୀ ଦିନରେ ଏହାର ଡିମାଣ୍ଡ୍ ବଢିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।