ମାଲକାନଗିରି – ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା ପ୍ରାଧିକରଣ ମୋଟୁ ଦ୍ୱାରା ରାଷ୍ଟ୍ରୀୟ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ଏବଂ ମୋଟୁ ଠାରେ ମଧ୍ୟ ଅନୁଷ୍ଠିତ ହେଇଯାଇଅଛି । ଏହି ଲୋକ ଅଦାଲତରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣ ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲ୍ଲା ଜଜ ସୁଶ୍ରୀ ପ୍ରଜ୍ଞା ନଳିନୀ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଦେବାଶିଷ ପଣ୍ଡା, ରେଜିଷ୍ଟ୍ରାର ହିମାଂଶୁ ଶେଖର ସିଂହ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଅମରେଶ ନାୟକ, ବରିଷ୍ଠ ଦେୱାନି ବିଚାରପତି ସୁଚେତା କୃପାଳିନୀ, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି କୃଷ୍ଣ ଚନ୍ଦ୍ର ନାୟକ ଓ ମୋଟୁ ଠାରେ ପ୍ରଥମ ଶ୍ରେଣୀ ଦଣ୍ଡାଧିକରି ଅସିତ କୁମାର ସିଂହ ପ୍ରମୁଖ ଉପସ୍ଥିତ ରହି ବିଭିନନ ପ୍ରକାର ମୋକଦ୍ଦମାର ଫଇସଲା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ ୬ ଗୋଟି ବୁଝାମଣା ଯୋଗ୍ୟ ଫୌଜଦାରୀ ମାମଲାର ଫଇସଲା କରାଯାଇଥିଲା । ୩ଟି ବୈବାହିକ ଦେୱାନି ମାମଲା ଓ ୩ ଗୋଟି ଜମି ଭାଗବଂଟା ସଂକ୍ରାନ୍ତୀୟ ମାମଲାର ବିଚାର କରାଯାଇଥିଲା । ସେହିପରି ଗୋଟିଏ ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫଇସଲା କରାଯାଇ ୫,୮୦,୦୦୦ ଟଙ୍କା କ୍ଷତି ପୂରଣ ଧାର୍ଯ୍ୟ କରାଯାଇଥିଲା । ଏହି ଲୋକ ଅଦାଲତରେ ଗୋଟିଏ ଦେୱାନୀ, ୨୫ ଗୋଟି ବନ ବିଭାଗୀୟ ଓ ୩ ଗୋଟି ବ୍ୟାଙ୍କ ଋଣ ମାମଲା ପ୍ରାକ୍ ମୋକଦ୍ଦମା ସ୍ତରରେ ସମାଧାନ କରାଯାଇ ୨,୦୮,୬୦୦ ଟଙ୍କା ଆଦାୟ କରାଯାଇଥିଲା । ସେହିପରି ରାଷ୍ଟ୍ରୀୟ ଲୋକ ଅଦାଲତ ସହିତ ମିଳିତ ଭାବେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ୨୧ ଗୋଟି ଫୌଜଦାରୀ ମାମଲାର ବିଚାର ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ ଓ ସମସ୍ତ ତହସିଲ ଯଥା, ମାଲକାନଗିରି, କାଲିମେଳା, ମୋଟୁ, ଚିତ୍ରକୋଣ୍ଡା, ମାଥିଲି, କୁଡ଼ୁମୁଲୁଗୁମ୍ମା, ଖଇରପୁଟର ତହସିଲଦାର ୧୮୭୪ ଗୋଟି ରାଜସ୍ୱ ମାମଲାର ଫଇସଲା କରି ମୋଟ ୨,୬୮,୬୯୫ ଟଙ୍କା ରାଜସ୍ୱ ଆଦାୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ମାଲକାନଗିରି ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗ ବିଚାରପତି ଶ୍ରୀକାନ୍ତ ପାଢ଼ୀ ପଦ୍ମଲାଭ ମାଝୀ ଏବଂ ଜିଲ୍ଲା କୋର୍ଟ, ସଜେଏମ କୋର୍ଟ, ସବ ଜଜ୍ କୋର୍ଟ, ଏସଡିଜେଏମ କୋର୍ଟ, ମୋଟୁ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ଓ ତାଲୁକ ଆଇନ ସେବା ସମିତି, ମୋଟୁର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
Related Stories
October 29, 2024