କଟକ- ଧୋକା ଦେଲା ପ୍ରେମିକା । ଶେଷରେ ନିରାଶ ପ୍ରେମିକ ଟ୍ରେନ୍ ଆଗକୁ ଡ଼େଇଁ ଆତ୍ମହତ୍ୟା କଲେ । ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି କଟକ ତାଳଦଣ୍ଡା କେନାଲ ମାତୃଭବନ ନିକଟ ରେଳଧାରଣାରେ ।
କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ କଂଟିଆଳ ଗ୍ରାମର ମନୋଜ କୁମାର ସ୍ୱାଇଁ (୨୭) ପୁରୀ ଘାଟ ଥାନା ଅନ୍ତର୍ଗତ ସାଆନ୍ତ ସାହିରେ ଘର ଭଡ଼ା ନେଇ ପରିବାର ସହିତ ରହି ଆସୁଥିଲେ । ସେ ଆଜକୁ ପ୍ରାୟ ଦୁଇ ବର୍ଷ ହେବ ଯାଜପୁରର ଜଣେ ଝିଅକୁ ଭଲ ପାଉଥିଲେ । ହେଲେ ପ୍ରେମିକା ଅନ୍ୟ କୌଣସି ଯୁବକଙ୍କ ପ୍ରେମ ଫାଶରେ ପଡିବା ଏବଂ ପରିବାର ଲୋକେ ଯୁବତୀଙ୍କ ବିବାହ ସମ୍ପୃକ୍ତ ଯୁବକଙ୍କ ସହିତ ସ୍ଥିର କରିଥିବା ନେଇ ମନୋଜ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ । ଘଟଣାକୁ ନେଇ ମନୋଜଙ୍କ ହୃଦୟରେ ଲାଗିଥିଲା ଶକ୍ତ ଆଘାତ । ନିକଟରେ ବ୍ୟାଙ୍କିଂ ସର୍ଭିସ୍ ପାଇଁ ଇଂଟରଭ୍ୟୁ ଦେଇଥିବା ମନୋଜ ଘଟଣାକୁ ଏତେ ସହଜରେ ଗ୍ରହଣ କରିପାରିନଥିଲେ । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇଥିଲେ ଏବଂ ଏହି ଆତ୍ମହତ୍ୟା ବେଳର ଭିଡ଼ିଓକୁ ସେ ନିଜ ମୋବାଇଲରେ ରେକର୍ଡ଼ିଂ କରିଥିଲେ । ଖବର ପାଇ କଟକ ଜିଆରପି ପୋଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କ ମୃତଦେହ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ପଠାଇଛି । ଘଟଣାସ୍ଥଳରୁ ଜବତ ସୁଇସାଇଡାଲ୍ ନୋଟ୍ ଓ ମୋବାଇଲ୍ ଭିଡ଼ିଓକୁ ପୋଲିସ ଯାଂଚ୍ କରୁଛି । ଏହି ଭିଡ଼ିଓରୁ ତାଙ୍କ ଆତ୍ମହତ୍ୟା ବାବଦରେ ପୋଲିସକୁ ଅଧିକ ତଥ୍ୟ ମିଳିବା ନେଇ ଆଶା କରାଯାଉଛି । ଜିଆରପି ପୋଲିସ ଏ ସଂକ୍ରାନ୍ତରେ ୨/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।