ଜୟପାଟଣା- ଜୟପାଟଣା ବ୍ଳକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୦ ଉତ୍ସାହର ସହିତ ଉଦଘାଟିତ ହୋଇଯାଇଛି । ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଡ଼ୋକରୀଙ୍କ ତାଲଗୁଡ଼ ସ୍ଥିତ ପୀଠରୁ ମଶାଲ ଅଣାଯାଇ ୧୦ କି.ମି. ରାସ୍ତା ଅତିକ୍ରମ କଲାପରେ ଜୟପାଟଣା ଉମା ଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଚନ୍ଦ୍ରଭାନୁ ରଙ୍ଗମଞ୍ଚରେ ମଶାଲ ସ୍ଥାପନ ପରେ ଘୁମୁରା ଉତ୍ସବ ଅନୁଷ୍ଠାନିକ ଭାବରେ ଶୁଭାରମ୍ଭ ଘୋଷଣା କରାଯାଇଥିଲା । ବ୍ଳକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବି.ଡ଼ି.ଓ. ମାନ୍ୟଗଣ୍ୟ ବ୍ୟକ୍ତି ମହିଳା ସଂଗଠନ ଘଣ୍ଟ ବାଦ୍ୟର ତାଳେ ତାଳେ ସମସ୍ତ ମନ୍ଦିର ପରିକ୍ରମା କରି ଉତ୍ସବ ସ୍ଥଳୀରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଜୟପାଟଣା ଉମା ଶଙ୍କର ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରଭାନୁ ରଙ୍ଗମଞ୍ଚରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଅପରାହ୍ନରେ ଲୋକ କବି ରବୀନ୍ଦ୍ର କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ କବି ସମ୍ମିଳନୀ ଆରମ୍ଭ କରାଯାଇଥିବା ବେଳେ ଶିକ୍ଷାବିତ୍ ସୁଦର୍ଶନ ଦାସ ମୁଖ୍ୟ ଅତିଥି, ହରେକୃଷ୍ଣ ଦାସ ମୁଖ୍ୟବକ୍ତା ଓ ଶ୍ରୀନିବାସ ବେହେରା, ଅଧ୍ୟାପକ ଶ୍ରବଣ ଗୁପ୍ତା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ସାଂସ୍କୃତିକ ସନ୍ଧ୍ୟାରେ କ୍ଳବର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଆରମ୍ଭ ହୋଇଥିବା ବେଳେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମାଣିକେଶ୍ୱରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଉଦ୍ୟୋଗପତି ସୁବାସ ଚନ୍ଦ୍ର ମୁଣ୍ଡ, ବି.ଡ଼ି.ଓ. ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତରାୟ, ଟିକ୍ନୁ ପୁଟା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ବିବିଧ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ରଖିଥିବା ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମାଜସେବୀ ପ୍ରକାଶ ଦୁରିଆ, ଲୋକ କଳାରେ ତୀର୍ଥରାଜ ଦଳପତିଙ୍କୁ ଏହି ଅବସରରେ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଦୀପ ସରାବୁ, ସିଦ୍ଧାର୍ଥ ମିଶ୍ର, ତୀର୍ଥରାଜ ଦଳପତି, ଶଙ୍କର ଦୟାସ ସିଂ, ଅବିନାଶ ନନ୍ଦ, ସତ୍ୟବତୀ ତ୍ରିପାଠି ମଞ୍ଚ ପରିଚାଳନା କରିଥିଲେ । ଦିବାକର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଚନ୍ଦ୍ରଭାନୁ ଇଙ୍ଗଲିସ୍ ମିଡ଼ିୟମ ସ୍କୁଲ, ରିଦମ ସ୍କିଲ୍, ମୃଣୟୀ ନୃତ୍ୟାଙ୍ଗନା, ଯୁଡ଼ା ପଇଁରୀ ଟିଟିଲାଗଡ଼, ଜଗତ ଜନନୀ ଘୁମୁରା ଦଳ ଜୟପାଟଣା ପ୍ରମୁଖ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ।