
ମୁରୈନା, କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମିଣ ବିକାଶ ପଂଚାୟତରାଜ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କୃଷିକୁ ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ କହି ଚାଷୀ ଆମର ଭଗବାନ ଓ ଚାଷୀଙ୍କ ସେବା ଭଗବାନଙ୍କ ସେବା ଅଟେ ବୋଲି କହିଛନ୍ତି । କୃଷି ଏବଂ କୃଷକ କଲ୍ୟାଣ ପାଇଁ ଶହେ ଦିନର କାର୍ଯ୍ୟ ଯୋଜନାର ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତୃତୀୟ ଥର ସରକାର ଗଠନ ପରେ ପ୍ରଥମେ ଜୁନ 18ରେ କାଶୀରୁ ଚାଷୀଙ୍କୁ ସମ୍ମାନ ନିଧି ରାଶି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ସଙ୍ଗଲ କ୍ଲିକ ମାଧ୍ୟମରେ ଏହି ରାଶି ଟ୍ରାନ୍ସଫର କରିବେ । ସରକାର ଚାଷୀ କଲ୍ୟାଣ ପାଇଁ କୌଣସି ପଦକ୍ଷେପ ଛାଡିବେ ନାହିଁ ।
କେନ୍ଦ୍ର କୃଷିମନ୍ତ୍ରୀ ରବିବାର ମୁରୈନା ରେଲୱେ ଷ୍ଟେସନରେ ମିଡିଆ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାରରେ ସାମିଲ ହେବା ପରେ ଶିବରାଜ ସିଂହ ଚୌହ୍ୱାନ ପ୍ରଥମ ଥର ମଧ୍ୟପ୍ରଦେଶ ଆସିଛନ୍ତି । ରବିବାର ସକାଳେ ଶତାବ୍ଦୀ ଏକ୍ସପ୍ରେସରେ ମୁରୈନାରେ ପହଂଚିଥିବା ଶିବରାଜ ସିଂହ ଚୌହ୍ୱାନଙ୍କୁ କାର୍ଯ୍ୟକର୍ତ୍ତାମାନେ ବିପୁଳ ସ୍ୱାଗତ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଗତ 10 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଷୀ କଲ୍ୟାଣ ପାଇଁ ଅଦ୍ଭୁତ ଓ ଅଦ୍ଭୁତପୂର୍ବ ଉପଲବ୍ଧି ହାସଲ ହୋଇଛି ।