ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲା ଆଗଲପୁର ( ଡୁଡୁକା) ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମରେ ଅବସ୍ଥିତ ମା ଅଭୟା କାଳୀ ମନ୍ଦିର। ବଲାଙ୍ଗୀର ସହର ଠାରୁ ୪୦ କି.ମି.ଦୂରରେ କୁଟାସିଂହା ଗ୍ରାମ । କାହିଁ କେତେ ଆବହମାନ କାଳରୁ ଏହି ଗ୍ରାମରେ ପୂଜାପାଇ ଆସୁଛନ୍ତି,”ମା ଅଭୟା କାଳୀ”। ଗ୍ରାମର ବୟୋଜ୍ୟେଷ୍ଠ ମାନଙ୍କ ମୁଖରୁ ଶୁଣାଯାଏ ୧୯୩୬ ମସିହାରେ ମା ଅଭୟା କାଳୀଙ୍କ ଆବିର୍ଭାବ ହୁଏ ଏବଂ ପୂଜା ପାଆନ୍ତି ଗାଁ ମଝିରେ ଥିବା ଅଭୟା ଦେବୀ ପୀଠରେ । ପୂଜା ତିଥି:- ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ଦିନରୁ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ । ପୂଜା ସାମଗ୍ରୀ:- (ପ୍ରଥମରୁ ଷଷ୍ଠ ଦିନ ପଯ୍ୟନ୍ତ) ଦେଶୀମଦ, ଘିଅସଳିତା, ଗୋରସ ଏବଂ ଧୂପକାଠି । ପୂଜକ ଗାଁ ଝାଙ୍କରଙ୍କ ସହିତ ଘଣ୍ଟଧାରୀ ଓ ଛତ୍ରଧାରୀ । ପୂଜାର ବିଧି:- ସନ୍ଧ୍ୟା ସମୟରେ ଗାଁ ର ଚାରିଦିଗରେ ଶୁଖିଲା କାଠକୁ ଦୀପ ରଖିବା ପାଇଁ ଷ୍ଟାଣ୍ଡ କରାଯାଇ, ତା ଉପରେ କଞ୍ଚା ମାଟି ଦୀପରେ ଫୁଲି (ଦେଶୀମଦ) ଦେଇ ୭ ଦିନ ବ୍ୟାପୀ ଅଖଣ୍ଡ କରାଯାଏ । ଯେଉଁ ମଦକୁ ମଣିଷ ଖାଇ ମୃତ୍ୟୁ ମୁଖରେ ପଡ଼େ ସେହି ମଦକୁ ମା ଙ୍କ ଠାରେ ଅର୍ପଣ କରାଯାଏ। ସତରେ ମା ଙ୍କ ମହିମା କେତେ ଅପାର । ମୂଖ୍ୟ ପୂଜା:-(ସପ୍ତମ ଦିନ) ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ନିଷ୍ଠାର ସହିତ ପ୍ରତ୍ୟେକ ପରିବାରରୁ ନଡିଆ, ଧୂପକାଠି, ଘିଅ, ସିନ୍ଦୂର ଓ ଫୁଲ ଦେବୀଙ୍କ ପୀଠକୁ ଯାଏ। ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା “ମା ଅଭୟା”ଙ୍କ ଠାରେ ଭାଗବତର ସପ୍ତମ ସ୍କନ୍ଧ ପାଠ କରାଯାଏ। ମା ଙ୍କ ଭୋଗ:- ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ମା ଙ୍କ ଭୋଗ କେବଳ ନଡ଼ିଆ, ମୁଗରେ ତିଆରି ଖିରୀ ଓ ଧାନରେ ପ୍ରସ୍ତୁତ”ଖଈ”(ଲିଆ) ଲାଗି କରାଯାଏ।ଏହି ଭୋଗ କେବଳ ବୟସ୍କା ବିଧବା ମହିଳାମାନେ ପ୍ରସ୍ତୁତ କରିଥାନ୍ତି। ଆହୁରି ଆଶ୍ଚର୍ଯ୍ୟ ହେବେ, ନଡ଼ିଆ ଭୋଗକୁ ଆପଣ ଯେତେ ଖାଇଲେ ମଧ୍ୟ ତାହା ଶରୀରକୁ କ୍ଷତି କରେନାହିଁ । ଆମ ସମାଜରେ ବିଧବା ନାରୀ ମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି। କିନ୍ତୁ, ମା ଙ୍କ ଆଶିର୍ବାଦରୁ ଏହି ବିଧବା ମହିଳାମାନେ ହିଁ ମା ଙ୍କ ପ୍ରସାଦ ପ୍ରସ୍ତୁତ କରିଥାନ୍ତି। ଏହି ଆଠ ଦିନ ପର୍ଯ୍ୟନ୍ତ ଗାଁ ରେ ମାଛ ମାଂସ ଭକ୍ଷଣ କରାଯାଏ ନାହିଁ। ଏହି ସାତଦିନ ମଦୁଆ ମାନଙ୍କ ପାଇଁ ମଦ ସ୍ଵପ୍ନ ହୋଇଯାଏ । ଶେଷରେ ଜ୍ୟେଷ୍ଠ ପୂର୍ଣିମା ଦିନ ସକାଳେ ପ୍ରତ୍ୟେକ ପରିବାରରୁ ଜଣେ ଜଣେ ପ୍ରସ୍ତୁତ ହୋଇଥିବା, ଖଈଲିଆ, ଅରୁଆଚାଉଳ, ଘିଅ ବଳିତା ଓ ପାଳବିଡାରେ ତିଆରି (ନିଆଁ ବେଣ୍ଟିଆ) ଧରି ଗ୍ରାମର ପଶ୍ଚିମ ଦିଗରେ ଥିବା ଅଶ୍ଵତ୍ଥ ବୃକ୍ଷ ମୂଲକୁ ଯାଇ ମା ଙ୍କୁ ମେଲାଣି ଦିଅନ୍ତି। ବର୍ତ୍ତମାନ ଏହି “ମା ଅଭୟା” ଦେବୀ ପୀଠକୁ ପଶ୍ଚିମ ଓଡ଼ିଶାର ତାରିଣୀ ପୀଠ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେଇଥିପାଇଁ ପରା ଗାଁ ତଥା ଆଖପାଖ ଅଂଚଳର ସମସ୍ତେ ଗୁହାରି କରନ୍ତି, ଜୟ ଜୟ ମା ଗୋ, ଅଭୟା କାଳୀ ମା କରୁଛେଁ ତତେ ଜୁହାର । ମା ଗୋ କରିବୁ ନାଇ ମତେ ପର । ମା ଗୋ କରିବୁ ନାଇ ମତେ ପର । ମା ଅଭୟା କାଳୀ ଯାତ୍ରା ତା ଜୁନ ୧୭ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ୨୧ ରେ କୀର୍ତ୍ତନ ବୈଠକ ଅନୁଷ୍ଠିତ ହେବ। ବିଶେଷ ଆକର୍ଷଣ ରାବଣ ଦରବାର। ଦୈନନ୍ଦିନ ମା ଙ୍କ ନାମରେ ନାମ ଯଜ୍ଞ ଅନୁଷ୍ଠିତ ହେବ। ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଏହି ଯାତ୍ରାକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।
ଏହି ଯାତ୍ରା ଗାଁ ର ଗୌନ୍ତିଆ ରାଜିନ ପାତ୍ରଙ୍କ ପୌରହିତ୍ୟରେ ଗାଁ ର ଝଙ୍କାର, ଦେହେରି ଶ୍ରିହରୀ ଭୁଏ, ପିତାମ୍ବର ନାଗ, ଗରୁଡ଼ ସା, କୁ ଥିଲା, ବାଳୀ ବାଗ, ଲେକ୍ରୁ ସାହୁ, ଜଗବନ୍ଧୁ ସାହୁ ପୂଜା ଦୟିତ୍ଵରେ ରହିଛନ୍ତି। ମୁଖ୍ୟ ପୂଜକ ଆର୍ତ୍ତତ୍ରାଣ ପୁରୋହିତ ଓ ଶତ୍ରୁଘ୍ନ ପୁରୋହିତ ପୂଜା କାର୍ଯ୍ୟ ତୁଲାଉଛନ୍ତି। ଏହି ଯାତ୍ରାର ପରିଚାଳନା ପାଇଁ ସଭାପତି ଭାବେ ଗୋବର୍ଦ୍ଧନ ସାହୁ, ସମ୍ପ।ଦକ ଭାବେ ପ୍ରଦୀପ ପାତ୍ର ଦାୟିତ୍ଵରେ ଥିବାବେଳେ ଗ୍ରାମବାସୀ ବୃନ୍ଦ ସହଯୋଗ କରୁଛନ୍ତି।