ବଲାଙ୍ଗିର, ହାତଗୋଡ଼ ବନ୍ଧା ଅବସ୍ଥାରେ କନଷ୍ଟେବଳ ଶଙ୍କର ବେହେରାଙ୍କ ମୃତଦେହ ଉଦ୍ଧାର ଘଟଣାରେ ରାଜ୍ୟ ବାହାରୁ ୬ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୪ ଜଣ ଓଡ଼ିଶାର ହୋଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ହୋଇଥିବା ସୂଚନା ମିଳିଛି । ହୀରା ଭଳି ଦେଖାଯାଉଥିବା ପଥର ବ୍ୟବସାୟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଅଭିଯୁକ୍ତ ମାନେ ଫେକ୍ ଆଇଡିରେ ରୁମ୍ ବୁକ୍ କରିଥିଲେ । ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡର ପଙ୍କଜ କୁମାର, ସୁରଜ କୁମାର ବର୍ଣ୍ଣୱାଲ ଏବଂ ଓଡ଼ିଶା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଂଚଳର କୃଷ୍ଣ ମେହେର, ବୌଦ୍ଧ ଜିଲ୍ଲା ଇଚ୍ଛାପୁରର ମନୋରଞ୍ଜନ ସାଥୁଆ, ସୋନପୁର ଜିଲ୍ଲା ନନ୍ଦନମାଳ ଗ୍ରାମର ନିତାଇ କର ଏବଂ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବରପଦର ଗ୍ରାମର ରୋହିତ ଶାହ । ଅଭିଯୁକ୍ତ ମାନଙ୍କ ନିକଟରୁ ଦୁଇଟି କାର୍, ୨ଟି ବାଇକ୍, ଗୋଟିଏ ପିସ୍ତଲ, ହୀରା ଭଳି ଦେଖାଯାଉଥିବା ଏକ ପଥର, ଦୁଇଟି ଛୁରୀ ଓ ୪ଟି ମୋବାଇଲ୍ ଜବତ ହୋଇଥିବା ନେଇ ଆଜି ଅପରାହ୍ନରେ ବଲାଙ୍ଗିର ଟାଉନ୍ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ଗତ ୧୬ ତାରିଖରେ ବଲାଙ୍ଗିର ରେଳ ଷ୍ଟେସନ ନିକଟସ୍ଥ ଏକ ହୋଟେଲରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ସମ୍ପୃକ୍ତ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରିବା ପରେ ହାତଗୋଡ଼ ବାନ୍ଧି ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ । କନଷ୍ଟେବଳ ଶଙ୍କର ବେହେରା ସୁବର୍ଣ୍ଣପୁର ଟାଉନ୍ ଥାନାରେ କାର୍ଯ୍ୟ କରୁଥିଲେ । ହତ୍ୟାକାଣ୍ଡ ପରେ ଏହାର ତଦନ୍ତ ପାଇଁ ଏସଡିପିଓ ଶ୍ରୀ ସାହୁଙ୍କ ନେତୃତ୍ଵରେ ଏକ ୮ ଜଣିଆ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ମାମଲାର ତଦନ୍ତ କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲା । ଗିରଫ ପରେ ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି ।