-
ସିବିଆଇ ପକ୍ଷରୁ ଓଡ଼ିଶାର ୬୭ଟିସ୍ଥାନରେ ଚଢାଉ
-
୬୩ ଜଣ ଗ୍ରାମୀଣ ଡାକସେବକ ପ୍ରାର୍ଥୀ ଓ ଡାକବିଭାଗର ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ
ଭୁବନେଶ୍ୱର, ଓଡ଼ିଶାରେ ଡାକ ବିଭାଗ ନିଯୁକ୍ତି ଅନିୟମିତା ମାମଲାରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ବ୍ୟାପକ ତଦନ୍ତ ଓ ଚଢ଼ାଉ ଆରମ୍ଭ କରାଯାଇଛି । ଭୁବନେଶ୍ୱରସ୍ଥିତ ଡାକ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ଅଭିଯୋଗ ଆଧାରରେ ସିବିଆଇ ଅଧିକାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ରୁ ଅଧିକ ସ୍ଥାନରେ ଚଢ଼ାଉ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛନ୍ତି । କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଚଢ଼ାଉ କରାଯାଇଛି । ଏହି ବ୍ୟାପକ ତଦନ୍ତ ଅଭିଯାନରେ ୧୦୪ ଜଣ ସିବିଆଇ ଅଧିକାରୀ ଓ ଅନ୍ୟ ବିଭାଗର ୮୨ ଜଣ ଅଧିକାରୀଙ୍କ ସମେତ ୨୦୪ରୁ ଊର୍ଦ୍ଧ୍ୱ ତଦନ୍ତ ଅଧିକାରୀ ସାମିଲ ହୋଇଛନ୍ତି । ନକଲି ଶିକ୍ଷାଗତ ପ୍ରମାଣପତ୍ର ଯୋଗାଇବା ପଛରେ ସମ୍ପୃକ୍ତ ଥିବା ଆନ୍ତଃରାଜ୍ୟ ସଂଗଠିତ ଗୋଷ୍ଠୀକୁ ଠାବ କରିବା ଲାଗି ତଦନ୍ତକାରୀ ଦଳ ଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି ।
ଡାକ ବିଭାଗ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ୯ ମେ ୨୦୨୩ରେ ଓଡ଼ିଶା ଡାକ ପରିମଣ୍ଡଳ ଅଧୀନରେ ଆୟୋଜିତ ଗ୍ରାମୀଣ ଡାକ ସେବକ ପରୀକ୍ଷା୨୦୨୩ର ୬୩ ଜଣ ପ୍ରାର୍ଥୀଏବଂ ଡାକ ବିଭାଗର କିଛି ଅଜ୍ଞାତ ଅଧିକାରୀଙ୍କ ସମେତ କେତେ ଜଣ ଅଜ୍ଞାତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି । ଆଇପିସିର ଧାରା ୧୨୦-ବି, ୪୨୦, ୪୬୮ ଓ ୪୭୧ ସହ ପଠିତ ୫୧୧ ଏବଂ ଦୁର୍ନୀତି ନିବାରଣ ଆଇନ ୧୯୮୮ (୨୦୧୮ରେସଂଶୋଧିତ)ର ଧାରା ୭(କ) ଅଧୀନରେ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
୨୭ ଜାନୁଆରୀ ୨୦୨୩ରେ ଓଡ଼ିଶାରେ ୧୩୮୨ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପ୍ରକ୍ରିୟା ପାଇଁ ଅନଲାଇନ ଆବେଦନ ଆହ୍ୱାନ କରାଯାଇଥିଲା । ଏହି ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଗ୍ରାମୀଣ ଡାକ ସେବକ ପଦବୀରେ ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିଲା- କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଶିକ୍ଷାଗତ ପ୍ରମାଣପତ୍ର । ଏଥିସହିତ ପ୍ରାଞ୍ଜଳ ଭାବେ ସ୍ଥାନୀୟ ଭାଷାରେ କଥା ହେବାର ଦକ୍ଷତାକୁ ବାଧ୍ୟତାମୂଳକ କରାଯାଇଥିଲା । ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ, ଆବେଦନକାରୀଙ୍କୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ମାର୍କଶିଟ୍କୁ ଏକ କେନ୍ଦ୍ରିକୃତ ସର୍ଭରରେ ଅପଲୋଡ୍ କରିବାକୁ କୁହାଯାଇଥିଲା । ଦଶମ ପରୀକ୍ଷାରେ ରଖିଥିବା ନମ୍ବର ଆଧାରରେ ସ୍ୱୟଂକ୍ରିୟ ପ୍ରକ୍ରିୟାରେ ନିଯୁକ୍ତି ହୋଇଥିଲା । ମନୋନିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବାର ୧୫ ଦିନପୂର୍ବରୁ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ ଏସଏମଏସ ଓ ଇମେଲ୍ ଜରିଆରେ ସୂଚନା ଦିଆଯାଇଥିଲା ।
ଯାଞ୍ଚ ପ୍ରକ୍ରିୟା ସମୟରେ ବାଲେଶ୍ୱର, ମୟୂରଭଞ୍ଜ, କଳହାଣ୍ଡି, ଓ ବ୍ରହ୍ମପୁର ସମେତ ଓଡ଼ିଶା ଡାକ ପରି ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ଡାକ ଡିଭିଜନରେ ୬୩ ଜଣ ପ୍ରାର୍ଥୀ ଜାଲ ଓ ନକଲି ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାର ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡ଼ିଥିଲା । ଏସବୁ ଶିକ୍ଷାଗତ ପ୍ରମାଣପତ୍ର ଆହ୍ଲାବାଦର ବୋର୍ଡ ଅଫ୍ ହାଇସ୍କୁଲ ଆଣ୍ଡ ଇଣ୍ଟର ମିଡିଏଟ୍ ଏଜୁକେସନ, କୋଲକାତାର ପଶ୍ଚିମବଙ୍ଗ ବୋର୍ଡ, ରାଞ୍ଚିର ଝାଡ଼ଖଣ୍ଡ ଏକାଡେମିକ କାଉନ୍ ସିଲ ଆଦି ପକ୍ଷରୁ ଜାରି କରାଯାଇଥିବା ଜଣାପଡ଼ିଥିଲା । ଏକ ଆନ୍ତଃ ରାଜ୍ୟ ରାକେଟ୍ ପ୍ରାର୍ଥୀଙ୍କ ସହିତ ମିଶି ଏସବୁ ନକଲି ଓ ଜାଲ ଶିକ୍ଷାଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା ଏବଂ ଯୋଗାଇ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏସବୁ ଦିଗକୁ ନେଇ ସିବିଆଇ ପକ୍ଷରୁ ତଦନ୍ତ ଜାରି ରହିଛି ।