ଧର୍ମଶାଳା, ଯାଜପୁର ଜିଲା ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦୋମୁହାଁ ନୀତି ପଦାରେ ପଡିଲା । ରାଜସ୍ୱ ହଡପକାରୀଙ୍କ ସହ ବିଜେପି ପାର୍ଟି କାର୍ଯ୍ୟାଳୟରେ ଦେଖିବାକୁ ମିଳିଲେ ହିମାଂଶୁ । ଚଳିତ ବର୍ଷ ସାଧାରଣ ନିର୍ବାଚନରେ ହିମାଂଶୁ ସ୍ୱାଧୀନ ବିଧାୟକ ଭାବେ ଧର୍ମଶାଳା ଆସନରୁ ନିର୍ବାଚିତ ହେବା ପରେ ଧର୍ମଶାଳା ଖଣି ଲୁଟ୍ ରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ଜେଲରେ ଭର୍ତି କରାଯିବା ସହ ସରକାରଙ୍କ ତହବିଲକୁ କୋଟି କୋଟି ଟଙ୍କା ଜରିମାନା ଅର୍ଥ ଫେରାଇ ଆଣିବାକୁ ଉଦ୍ୟମ କରିବେ ବୋଲି ଗଣମାଧ୍ୟମରେ ଡିଣ୍ଡିମ ପିଟି ଥିଲେ । କିନ୍ତୁ ଗତକାଲି ଭୁବନେଶ୍ୱରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକକୁ ହିମାଂଶୁ ଯିବା ସମୟରେ ତାଙ୍କ ସହ ଆରୁହା ଅଂଚଳର ତ୍ରିନାଥ ଜେନା ସାଙ୍ଗରେ ରହିଥିଲେ । ଧର୍ମଶାଳା ତହସିଲ ଅଧିନ ଆରୁହା କଳାପଥର ଖାଦାନର ଲିଜ୍ଧାରୀ ଥିବା ତ୍ରିନାଥଙ୍କ ଉପରେ ୧୦କୋଟିରୁ ଉର୍ଦ୍ଧ ଟଙ୍କା ଜରିମାନା ଲଗାଯାଇଛି । ଆରୁହା ପାହାଡରେ ହୋଇଥିବା କଳାପଥର ଦୁର୍ନୀତିର ତଦନ୍ତ କରି ସରକାର ତାଙ୍କ ଉପରେ ଏହି ଜରିମାନା ଲଗାଇଛନ୍ତି । ଲୋକାୟୁକ୍ତରେ ଏବେ ଏହି ମାମଲା ବିଚାରଧିନ ଥିବା ବେଳେ ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରୁଛି । ତେବେ ଖଣି ଲୁଟ୍ରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ହିମାଂଶୁ ଜେଲରେ ପୁରେଇବା ଧମକ ଘଟଣା ଏବେ ତାଙ୍କର ଦୋମୁହାଁ ନୀତିକୁ ପଦାରେ ପକାଇଛି । ଏପରିକି ବହୁ ଚର୍ଚ୍ଚିତ ଡଙ୍କାରୀ କଳାପଥର ଖାଦାନ ଦୁର୍ନୀତିରେ ସମ୍ପୃକ୍ତ ଥିବା ଖଣି ମାଫିଆଙ୍କ ଅର୍ଥରେ ହିମାଂଶୁ ନିର୍ବାଚନ ଲଢିଥିବା ନେଇ ମଧ୍ୟ ଧର୍ମଶାଳାରେ ଏବେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ସମୟରେ ବଡ ବଡ ଭାଷଣବାଜି କରି ଧର୍ମଶାଳାରେ ସୁଶାସନ ଆଣିବା କହି ଭୋଟରଙ୍କୁ ପ୍ରଭାବିତ କରିଥିବା ହିମାଂଶୁଙ୍କ ଅସଲ ଚେହେରା ଏବେ ପଦାରେ ପଡିଥିବା ଦେଖିବାକୁ ମିଳିଛି ।
Related Stories
December 26, 2024