
ରାଉରକେଲା, ରାଉରକେଲା ଓ ଆଖପାଖରେ ରାସ୍ତାରେ ଚଳ ପ୍ରଚଳ, କ୍ଷେତକୁ ଯିବା ଓ ବଜାରରୁ ଫେରିବା ବେଳେ ଖରାରେ ଆଘାତ ପାଇ ଅସ୍ଵାଭାବିକ ଭାବେ ଅସୁସ୍ଥ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆସିବା ପରେ ସେମାନଙ୍କ ଭିତରୁ ୧୮ଜଣଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟାନ୍ୟ ବେସରକାରୀ ଡାକ୍ତରଖାନାରେ ଏଭଳି ରୋଗୀ ପହଁଚି ମୃତ୍ୟୁବରଣ କରିଥିଲେ ବି ସେମାନଙ୍କୁ ଏହି ତାଲିକାରେ ସାମିଲ୍ କରାଯାଇ ନାହିଁ । ସଚେତନତା ଅଭାବ ଓ ସରକାରୀ ନିରବତା ଲାଗି ଖାଲି ୧୮ ନୁହେଁ ଅନେକଙ୍କର ଜୀବନ ଚାଲିଯାଇଛି, ଆଦିବାସୀ ଅଧ୍ୟୁସିତ ଜିଲ୍ଲା ହୋଇଥିବାରୁ ଲୋକେ ଡାକ୍ତରଖାନାକୁ ରୋଗୀ ନେଇ ମୃତ ଜାଣିବା ପରେ ଗାଁ କୁ ଫେରିଆସି ଶବ ସତ୍କାର କରିଦେଇଛନ୍ତି । ରାଉରକେଲା ଆରଜିଏଚକୁ ଏଭଳି ରୋଗୀ ଅନେକ ମୃତ ଅବସ୍ଥାରେ ଆସିଥିଲେ ବି ମର୍ଗରେ ଯାଗା ନଥିବାରୁ ସେମାନଙ୍କୁ ଫେରାଇ ଦିଆଯାଇଥିବା ଖବର ରହିଛି । ତେବେ ୧୦ ଜଣଙ୍କର ପୋଷ୍ଟମର୍ଟମ ରିପୋର୍ଟ ଅଂଶୁଘାତଜନିତ ମୃତ୍ୟୁ ବୋଲି କୁହାଯାଇଥିବା ବେଳେ ଆଠ ଜଣ ମୃତ ଅବସ୍ଥାରେ ଆସିଥିଲେ ସେମାନଙ୍କର ପୋଷ୍ଟ ମର୍ଟମ କରାଗଲେ ତାଙ୍କର ମୃତ୍ୟୁର କାରଣ ଜଣାପଡିବ ବୋଲି ପ୍ରଶାସନ କହୁଛି । ସବୁଠୁ ବଡ କଥା ହେଲା ଜିଲ୍ଲାରେ ସାଧାରଣ ଜନତାଙ୍କୁ ଅଂଶୁଘାତ ନେଇ ସଚେତନ ବାର୍ତା ଆଦୌ ଦିଆଯାଇନଥିଲା, ହଠାତ୍ ଏଭଳି ଲୋକେ ମରିବାରୁ ଅଧିକାରୀ ମାନେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ଲାଗି ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟାକୁ ଲୁଚାଇବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଡାକ୍ତରଖାନା ରିପୋର୍ଟ, ଶ୍ମଶାନ ଗୁଡିକରେ ହୋଇଥିବା ଶବ ସତ୍କାରକୁ ଯଦି ତାଲିକା ଭୁକ୍ତ କରାଯାଏ ତେବେ ଅଂଶୁଘାତ ଜନିତ ମୃତ୍ୟୁ ୫୦ରୁ ଅଧିକ ହେବ ବୋଲି କୁହାଯାଉଛି । ଡାଇରିଆ ବ୍ୟାପିବା ବେଳେ ମଧ୍ୟ ଏହିଭଳି ଉଦ୍ୟମ କରାଯାଇଥିଲା କିନ୍ତୁ, ଅଭିଯୋଗ ପରେ ବି କେହି ଶୁଣିଲେନି । ବର୍ତମାନ ଏଭଳି ମୃତକ ମାନଙ୍କ ପରିବାରକୁ ଅନ୍ୟୁନ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ ଦେବା ଲାଗି ଦାବି ହେଉଛି ।