
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ଅମ୍ଲାନ କୁମାର ଭୋଇଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଡାକ୍ତର ଶ୍ରୀ ଭୋଇ କାଲିମେଳା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନିଜ ସରକାରୀ ବାସଗୃହରେ ଥିବା ବେଳେ ଗତକାଲି ରାତିରେ ତାଙ୍କୁ ଅପହରଣ କରାଯାଇଥିବା ଜଣାପଡିଛି । ବର୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜ୍ ଖବର ମିଳୁନାହିଁ ।
ତେବେ କିଛି ଲୋକଙ୍କ କହିବା ଅନୁସାରେ, ଡାକ୍ତରଙ୍କ ସରକାରୀ ବାସଗୃହ ସମ୍ମୁଖରେ ସିପିଆଇ ମାଓବାଦୀ ନାମରେ ଏକ ହାତଲେଖା ଚିଠି ପଡି ଥିବାର ଦେଖିବାକୁ ମିଳିଛି । ଖବର ପାଇ ମାଲକାନଗିରି ଏସଡିପିଓ ସଚିନ ପଟେଲ ଏବଂ କାଲିମେଳା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଚିଠିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ କେଉଁ କାରଣ ପାଇଁ ଡାକ୍ତରଙ୍କୁ ଅପହରଣ କରାଯାଇଛି ସେ ନେଇ ସଠିକ୍ ଭାବେ କିଛି ଜଣାପଡିନାହିଁ । ତାଙ୍କ ନିଜ ଘର କନ୍ଧମାଳ ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ ତାଙ୍କ ଘର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛି।