ଭଦ୍ରକ – ପୁଣି ଚର୍ଚ୍ଚାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ । ଜିଲା ଚିକିତ୍ସାଳୟକୁ ୩ଶହ ଶଯ୍ୟା ବିଶିଷ୍ଟ କରିବାକୁ ଘୋଷଣା ପରେ ଆସିଛି ସେଠାରେ ସ୍ୱାସ୍ଥ୍ୟ ସେବାର ଦୟନୀୟ ଚିତ୍ର । କାରଣ ଗତ ୨ ତାରିଖ ଠାରୁ ଏଠାରେ ଅସ୍ତ୍ରୋପଚାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଶଲ୍ୟ ହେଉ କି ପ୍ରସୁତୀ ବିଭାଗ, ଉଭୟ ଅସ୍ତ୍ରୋପଚାର ଗୃହରେ ତାଲା । କାରଣ ପୂର୍ବରୁ ବଦଳି ହୋଇଥିବା ଏଠାରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ମିନତୀ ଦାସ ଓ ନିଶ୍ଚେତକ ବିଶେଷଜ୍ଞଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରିଲିଭ୍ କରି ଦେଇଛନ୍ତି । ଉଭୟ ବିଭାଗରେ ଅସ୍ତ୍ରୋପଚାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି କାରଣରୁ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏଠାକୁ ଆସୁଥିବା ଗର୍ଭବତୀ ମହିଳା । ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଙ୍କ ବଦଳି ହୋଇଥିଲେ ମଧ୍ୟ ଆହୁରି ୨ ଜଣ ଏହି ବିଭାଗର ଡାକ୍ତର ଜିଲା ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ନିଶ୍ଚେତକ ଡାକ୍ତର ନଥିବାରୁ ସେମାନେ ହାତ ବାନ୍ଧି ବସିଛନ୍ତି । କେବଳ ନରମାଲ ଡେଲିଭରୀ ପାଇଁ ଆସୁଥିବା ଗର୍ଭବତୀ ମହିଳାଙ୍କ ପ୍ରସବ କରାଯାଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ୫ ଦିନ ମଧ୍ୟରେ ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ଗର୍ଭବତୀ ମହିଳାଙ୍କୁ କଟକ ବଡ ଡାକ୍ତରଖାନା ରେଫର କରାଯାଇଛି । ଅପରପକ୍ଷରେ ଶଲ୍ୟ ଓ ଅସ୍ଥିଶଲ୍ୟ ବିଭାଗରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଦେଖାଦେଇଛି । ନିଶ୍ଚେତକ ଡାକ୍ତର ନଥିବାରୁ କୌଣସି ଗୋଟିଏ ବି ଅସ୍ତ୍ରୋପଚାର ସମ୍ଭବ ହେଉନି । ବିଭିନ୍ନ ରୋଗରେ ପୀଡିତ ରୋଗୀଙ୍କୁ ମେଡିକାଲ କର୍ତୃପକ୍ଷ କଟକ ରେଫର କରିଚାଲିଛନ୍ତି । ନିଶ୍ଚେତକ ବିଶେଷଜ୍ଞଙ୍କ ଅନୁପସ୍ଥିତିରେ କୌଣସି ଜରୁରୀକାଳୀନ ଅସ୍ତ୍ରୋପଚାର ସମ୍ଭବ ନୁହେଁ ଜାଣି ମଧ୍ୟ ସଂପୃକ୍ତ ବିଶେଷଜ୍ଞଙ୍କୁ କିପରି ରିଲିଭ୍ କରାଗଲା, ତାହା ସମସ୍ତଙ୍କୁ ଚକିତ କରିଛି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏପରି ପଦକ୍ଷେପ ନେଇ କି ପ୍ରକାର ବାର୍ତା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣେ ସାମାଜିକ କର୍ମୀ ଅବିନାଶ ଜେନା ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଟୁଇଟ୍ କରି ପ୍ରଶ୍ନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ୩ ଶହ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲାରେ ସ୍ୱାସ୍ଥ୍ୟ ସେବା ଉନ୍ନତି ପାଇଁ ଏହି ନିଷ୍ପତି ନିଆଯାଇଛି । ମୋ ସରକାର ଟିମ୍ର ଭଦ୍ରକ ଗସ୍ତ ପରେ ରୋଗୀମାନଙ୍କ ମତାମତ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତିକରି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ୩୦୦ ଶଯ୍ୟା ସହିତ ରୋଗୀମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଏକ ବିଶ୍ରାମଗାର ନିର୍ମାଣ, ଓପିଡି ପଂଜିକରଣ ପାଇଁ ଅଧିକ କାଉଣ୍ଟର, ପାର୍କିଂ ଏରିଆର ବିକାଶ କରାଯିବ । ଭଦ୍ରକ ଜିଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ କ୍ଷଲ ଟଙ୍କାର ସହାୟତା ଯୋଗାଇ ଦିଆଯିବା ପରି ନିଷ୍ପତି ହୋଇଥିବା ଜଣାପଡିଛି । ଏପରି ଏକ ସରକାରୀ ନିଷ୍ପତିକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷକରି ଅସଜଡା ମୌଳିକ ଭିତିଭୂମିକୁ ନେଇ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଅସମ୍ଭବ, ଯାହାକି ବର୍ତମାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟି ହୋଇଥିବା ପରିସ୍ଥିତିରୁ ପ୍ରମାଣିତ ହୋଇଛି ।