
ଭୁବନେଶ୍ୱର, ଓଡିଶାରେ ବାବୁରାଜ ଚାଲିଥିବାକୁ ନେଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋରଦାର ଆକ୍ରମଣ କରିଛନ୍ତି । ଏହା ବାଦ ରତ୍ନଭଂଡାର ଚାବି ହଜି ଯିବାକୁ ନେଇ ମଧ୍ୟ ନବୀନ ସରକାରଙ୍କୁ ଘେରିଛନ୍ତି । ବାଣପୁର ଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ଯୋଗୀ ଆଦିତ୍ୟନାଥ ଏହା କହିଛନ୍ତି । ଏହି ଅବସରରେ ସେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ଚିଲିକା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭୋଟ ଦେବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ।
ସେ କହିଛନ୍ତି ଯେ, ଓଡିଶାରେ ସରକାରୀ ବାବୁଙ୍କ ରାଜ ଚାଲିଛି । ଯେଉଁ ଯେଉଁ ଠାରେ ବାବୁ ମାନଙ୍କ ଦ୍ୱାରା ଶାସନ ଚାଲେ ସେଠାରେ ଲୋକ ମାନେ ଉତ୍ପୀଡିତ ହୋଇଥାନ୍ତି । ଧୀରେ ଧୀରେ ସେଠାରେ ଏକଛତ୍ରବାଦୀ ସ୍ଥିତି ଆସେ । ତେଣୁ ଲୋକ ମାନଙ୍କର ଦ୍ୱାରା ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ଦ୍ୱାରା ହିଁ ଶାସନ ଚାଲିବା ଦରକାର ବୋଲି ସେ କହିଛନ୍ତି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ସେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଏଠି ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେଣି । ଓଡିଶାରେ କେ ବଳ ଲ୍ୟାଣ୍ଡ, ସ୍ୟାଣ୍ଡ ନୁହେଁ ପ୍ରଭୁଙ୍କ ଉପରେ ବି ଆଖି ପକାଇଲେଣି । ଏଠାରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅପମାନ କଲା ଭଳି କାମ ଚାଲିଛି ।
ସେ କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଏଠାରେ ଡବଲ ଇଂଜିନ ସରକାର ହେବ । ବିଜେପି ସରକାର ଆସିଲେ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ଼ ହେବେ ଏଥି ପାଇଁ ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି ।