
ଧର୍ମଶାଳା, ସାଧାରଣ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ନିର୍ବାଚନ ପ୍ରଚାର ସେତେ ଜୋରଦାର ହେଉଛି । ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରଚାର କାର୍ଯ୍ୟକ୍ରମ ଜାରି ରହିଛି । ଆଜି ନିର୍ବାଚନ ମଣ୍ଡଳୀ୧୪ ନଂ ଜୋନରେ ଧର୍ମଶାଳା ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ବାଇକ ରାଲିରେ ଘରକୁ ଘର ବୁଲି ପ୍ରଚାରକୁ ଜୋରଦାର କରିବା ସହିତ ଦଳୀୟ ସମର୍ଥନ ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ଏହି ଜୋନରେ ପ୍ରଣବଙ୍କ ଲୋକପ୍ରିୟତା ଦେଖିବାକୁ ମିଳିଛି । ବିଶେଷ କରି ଗାଁରେ ବୟସ୍କ ମହିଳାମାନେ ତାଙ୍କୁ ଆର୍ଶୀବାଦ କାମନା କରିଛନ୍ତି । ପ୍ରଥମେ ବିଧାୟକ ପ୍ରଣବ ବଳବନ୍ତରାୟ ଜାରକା ପଂଚାୟତସ୍ଥ ଅମରେଶ୍ଵରୀ ପୀଠରୁ ପୂଜାର୍ଚ୍ଚନା ପରେ ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଜୋନର ଜାରକା ପଂଚାୟତରୁ ଶୋଭାଯାତ୍ରାରେ ବାହାରି ଅଭୟପୁର, ଭବାନୀପୁର, ବଡ କାଏମା, ଚହଟା ଓ ଚୋରମୁହାଁ ପଂଚାୟତରେ ରାଲି ଶେଷ ହୋଇଥିଲା । ସମସ୍ତ ପଂଚାୟତର ସରପଂଚ, ସମିତିସଭ୍ୟ/ସଭ୍ୟା,୧୪ ନଂ ଜୋନ ଜିଲାପରିଷଦ ସଭ୍ୟ ଜଳଧର ମହାନ୍ତିଙ୍କ ସହ ମହିଳା ନେତ୍ରୀ, ଯୁବନେତା ଓ କର୍ମୀ, ସ୍ଥାନୀୟ ନେତୃ ମଣ୍ଡଳୀ ଓ କର୍ମୀ ସାମିଲ ହୋଇଥିଲେ । ପ୍ରଣବ ପ୍ରଚାର ସମୟରେ ଘର ଘର ବୁଲି ଲୋକମାନଙ୍କ ସହ ଆଲୋଚନା କରିବା ସହିତ ସାଧାରଣ ନିର୍ବାଚନରେ ଦଳୀୟ ସମର୍ଥନରେ ମତସାବ୍ୟସ୍ତ କରିବାକୁ ଅନୁରୋଧ କରିଥିଲେ । ଏହି ସମୟରେ ବିଭିନ୍ନ ସ୍ଥାନରେ ମହିଳାମାନେ ଫୁଲ, ଚନ୍ଦନ, ଶଙ୍ଖ ବଜାଇ ହୁଳହୁଳି ପକାଇ ତାଙ୍କୁ ସ୍ଵାଗତ କରିବା ସହ ବନ୍ଦାପନା କରାଯାଉଥିବା ଦେଖିବାକୁ ମିଳିଥିଲା ।
ଏହି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଉପରେ ପ୍ରଣବ ମତ ଦେବା ସହିତ ଏହି ବିକାଶ ଧାରା ଆଗକୁ ଦ୍ବିଗୁଣିତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।