କନ୍ଧମାଳ, ଫୁଲବାଣୀ ସହରର ସ୍ଥାନୀୟ ଜିରିଙ୍ଗିପଡାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଥ ଠାକୁରଙ୍କ ଜନ୍ମ ଚତୁର୍ଦ୍ଦଶୀ ପାଳନ ଅବସରରେ ୨୫ ତମ ଚନ୍ଦନ ଯାତ୍ରା ରଜତ ଜୟନ୍ତୀ ଜିରିଙ୍ଗିପଡା ଯାତ୍ରା ପରିଚାଳନା କମିଟି ପକ୍ଷରୁ ଫୁଲବାଣୀ ସହର ସ୍ଥିତ ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ଯାତ୍ରା ପଡ଼ିଆ ଠାରେ ଶୁଭାରମ୍ଭ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଏହି ଯାତ୍ରା ଜୁନ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଯାତ୍ରା ପରିଚାଳନା କମିଟି ସଭାପତି ପାର୍ଥ ସାରଥୀ ବିଶ୍ଵାଳ କହିଛନ୍ତି । ଠାକୁରଙ୍କର ଜନ୍ମ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମର ସମସ୍ତ ମାଆ ମାନେ ଯାତ୍ରା ପରିଚାଳନା ମହିଳା ବାହିନୀ ସଭାନେତ୍ରୀ ଆରତୀ ବେହେରା ଓ କାର୍ଯ୍ୟକାରୀ ସଭାପତିଙ୍କ ନେତୃତ୍ଵରେ ସମସ୍ତେ ସ୍ଥାନୀୟ ସାଲୁଙ୍କି ନଦୀକୁ ଯାଇ କଳସରେ ଜଳ ଭରି ପୂଜାର୍ଚ୍ଚନା କରି ନାରାୟଣୀ ମନ୍ଦିର ନିକଟରୁ କଳସ ଶୋଭାଯାତ୍ରା ବାଜା ବାଜଣା ନଦିଆ କୀର୍ତ୍ତନ ମଣ୍ଡଳୀ ପଟୁଆରରେ ବାହାରି ଫୁଲବାଣୀ ସହର ପରିକ୍ରମା କରି ନୃସିଂହ ମନ୍ଦିର ଠାରେ ପହଞ୍ଚି ଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ କମିଟି ସଭାପତି ସୁଜିତ ବେହେରା, ଯାତ୍ରା ପରିଚାଳନା କମିଟି କାର୍ଯ୍ୟକାରୀ କମିଟି ସଭାପତି କରମ ବେହେରା, ଉପ ସଭାପତି ପାଞ୍ଚିଲ ବେହେରା, ସାଧାରଣ ସମ୍ପାଦକ ଦାରୁଣ କୁମାର ବେହେରା, ସମ୍ପାଦକ ବୈଦ୍ୟନାଥ ନାୟକ, ସାଂସ୍କୃତିକ ସମ୍ପାଦକ ବାବୁଲା ବେହେରା, ସହ ସମ୍ପାଦକ ମନୋଜ କୁମାର ବେହେରା, କୋଷାଧ୍ୟକ୍ଷ ଲଳିତ କୁମାର ବେହେରା, ସାଙ୍ଗଠନିକ ସମ୍ପାଦକ ମନୋଜ କହଁର, ଉପଦେଷ୍ଟା ପଙ୍କଜ କୁମାର ବେହେରା, ଦିନେଶ ବେହେରା, ବିକ୍ରମ ବେହେରା, ପାୟେଲ ବେହେରା, ଶିବଶଙ୍କର ବେହେରା, ବଳଦେବ ବେହେରାଙ୍କ ସମେତ କାର୍ଯ୍ୟକାରୀ କମିଟି ସଦସ୍ୟ ନିରଞ୍ଜନ ନାୟକ, ବିକାଶ କହଁର ଏବଂ ମହିଳା ବାହିନୀ ଉପ ସଭାପତି ନିବେଦିତା ବେହେରା, ସାଧାରଣ ସମ୍ପାଦିକା ସୂର୍ଯ୍ୟକାନ୍ତି ନାୟକ, ସମ୍ପାଦିକା ମାମୀ ନାୟକ, ସାଙ୍ଗଠନିକ ସମ୍ପାଦିକା ବବିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମର ସମସ୍ତ ପୁରୁଷ ମହିଳା ଯାତ୍ରା ସୁଚାରୁ ରୂପେ ପରିଚାଳନା ହେବା ନିମନ୍ତେ ସହଯୋଗ କରିଥିଲେ। ଅପରାହ୍ନ ୨ଟା ସମୟରେ ଠାକୁରଙ୍କର ମନ୍ଦିର ସମ୍ମୁଖରେ ନାଭିହୋମ ଏବଂ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଭକ୍ତଙ୍କ ନିମନ୍ତେ ପଣା ଏବଂ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟାରେ ଭକ୍ତ ଠାକୁରଙ୍କର କୃପା ଲାଭ କରିବା ପାଇଁ ଠାକୁରଙ୍କ ଜନ୍ମ ଚତୁର୍ଦ୍ଦଶୀରେ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରି ଦର୍ଶନ କରିଥିଲେ। ମନ୍ଦିର ପୂଜକ ଚିନ୍ତାମଣି ସାହାଣୀ ପୂଜା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ କରିଥିବା ବେଳେ ତାଙ୍କୁ ପୂଜା କାର୍ଯ୍ୟରେ ସହଯୋଗୀ ପୂଜକ ଭାବେ ପ୍ରକାଶ କହଁର, ଅଶ୍ୱିନୀ ନାୟକ, ମନୋଜ ନାୟକ, ମିଶ୍ର ନାୟକ ପୂଜକଙ୍କୁ ସହଯୋଗ କରିଥିଲେ। ଠାକୁର ଚତୁର୍ଦ୍ଦଶୀ ଅବସରରେ ମା ନାରାୟଣୀ ଠାକୁରାଣୀ, ବ୍ରାହ୍ମଣୀ ଦେବୀ, ବରାଳଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ ଦେବୀ ପଞ୍ଚ ଦେବୀ ପଞ୍ଚ ଠାକୁରାଣୀ ମନ୍ଦିରକୁ ବିଜେ କରି ଭୋଗ ଖାଇଥିଲେ। ନୃସିଂହ ଠାକୁରଙ୍କର ଦର୍ଶନ ପାଇଁ ଆଜି ଦିନ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ଜମି ଥିବା ପରିଲକ୍ଷିତ ହୋଇଥିଲା। ଠାକୁରଙ୍କର ଚନ୍ଦନ ଯାତ୍ରା ନିମନ୍ତେ ଠାକୁରଙ୍କର ମନ୍ଦିର ଏବଂ ଯାତ୍ରା ପଡ଼ିଆ ରାସ୍ତା ଘାଟ ଯାତ୍ରା ପରିଚାଳନା କମିଟି ପକ୍ଷରୁ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଛି।
ଯାତ୍ରାର ଆରମ୍ଭ ଦିବସ ଠାରୁ ଶେଷ ଦିବସ ପର୍ଯ୍ୟନ୍ତ ଦର୍ଶକ ମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଭାପତି ବିଶ୍ଵାଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ।