ମାଲକାନଗିରି, ମାଲକାନଗିରି ସୀମାନ୍ତ ଗାଁର ଦୁଃଖ ଦିନକୁ ଦିନ ବଢିବାରେ ଲାଗିଛି। ନିର୍ବାଚନରେ ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ସଦୃଶ ହେଉଛି। ବିକାଶର ନା ଗନ୍ଧ ନାହିଁ। ଲୋକେ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଏଭଳି ଏକ ଗାଁ ମାଲକାନଗିରି ସଦର ବ୍ଲକର ତଣ୍ଡକି ପଞ୍ଚାୟତର ଛତିଶଗଡ଼ ସୀମାକୁ ଲାଗି ରହିଥିବା ବୁରୁଡି ଗ୍ରାମର ଦୁଃଖ କହିଲେ ନସରେ। ଓଡିଶାରେ ରହିଥିବା ବୁରୁଡି ଏବଂ ଛତିଶଗଡ଼ରେ ରହିଥିବା ବୁରୁଡି ଗ୍ରାମ ମଧ୍ୟରେ ଅନେକ ତଫାତ ରହିଛି। ଓଡ଼ିଶାର ବୁରୁଡ଼ି ଗ୍ରାମରେ ବିକାଶର ଛାଇ ପଡିନଥିବା ବେଳେ ଛତିଶଗଡ଼ର ବୁରୁଡି ଗ୍ରାମରେ ବିକାଶ ଆକାଶ ଛୁଇଁଛି।
ଓଡ଼ିଶାର ବୁରୁଡି ଗ୍ରାମରେ ପାନୀୟ ଜଳର ଏବେ ଉତ୍କଟ ସମସ୍ୟା ଦେଖାଦେଇଛି। ଏହି ଗ୍ରାମରେ ପ୍ରାୟ ୮୦ ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ତିନୋଟି ନଳକୂପ ରହିଛି। କିନ୍ତୁ, ଦୁଇଟି କେବେ ଠାରୁ ଅଚଳ ହୋଇ ପଡିଛି। ଗ୍ରାମବାସୀ ତାହାର ହିସାବ ରଖିନାହାନ୍ତି। ମାତ୍ର ଗୋଟିଏ ନଳକୂପରୁ ରହି ରହି ପାଣି ବାହାରୁଛି। ମନ ହେଲେ ଘଣ୍ଟାକରେ ପାଣି ବାହାରୁଛି ନଚେତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ସେହି ପାଣି ମଧ୍ୟ ପିଇବା ଯୋଗ୍ୟ ନୁହେଁ। ବାରମ୍ବାର ଏନେଇ ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ କହିଛନ୍ତି। ଏପରିକି ନିକଟରେ ନିର୍ବାଚନରେ ଆସୁଥିବା ନେତାଙ୍କୁ ମଧ୍ୟ ପାନୀୟ ଜଳ ସମସ୍ୟା ନେଇ ଗୁହାରି କରିଥିବା ବେଳେ ସେମାନେ ଏହାର ଖୁବଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇ ଚାଲିଗଲେ। ପାନୀୟ ଜଳର ସଂକଟକୁ ନେଇ ଭୋଟ ବର୍ଜନ କରିବା ନେଇ ଗ୍ରାମବାସୀ ଚିନ୍ତା କରିଥିଲେ ମଧ୍ୟ ପରମୂହର୍ତ୍ତରେ ଏହାକୁ ଟାଳି ଦେଇଥିଲେ। ଅନ୍ୟଦିଗରେ ଛତିଶଗଡ଼ର ବୁରୁଡି ଗ୍ରାମରେ ଘରେ ଘରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ସହ ପ୍ରତ୍ୟେକ ସାହିରେ ଗଳିରେ ନଳକୂପ ରହିଛି। ସେଠାରେ ପାଣି ଭାସୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାର ବୁରୁଡି ଗ୍ରାମରେ ପାନୀୟ ଜଳ ସଂକଟ ହିଁ ନୁହେଁ ବରଂ ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ମଧ୍ୟ ପଛରେ ରହିଛି ଏହି ଗାଁ। ଛତିଶଗଡ ବୁରୁଡି ଗ୍ରାମରେ ଗାଁ ଚକାଚକ୍ ଥିବା ବେଳେ ବିଜୁଳି, ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ସମସ୍ତ ସୁବିଧା ହାତପାଆନ୍ତାରେ ମିଳୁଛି। ଓଡ଼ିଶା ସରକାରଙ୍କ ନିକଟରେ ନିଜର ମୌଳିକ ସୁବିଧା ନେଇ ବାରମ୍ବାର ଦାବିପତ୍ର ଦେଉଥିଲେ ମଧ୍ୟ କୌଣସି ଫରକ ପଡୁନଥିବାରୁ ଏବେ ସେମାନେ ଛତିଶଗଡ଼ ବୁରୁଡି ଗ୍ରାମରେ ମିଶିଯିବାକୁ ଧମକ ଦେଉଛନ୍ତି। ଲାଗି ରହିଥିବା ଦୁଇଟି ବୁରୁଡି ଗ୍ରାମରେ ବିକାଶ ଓ ଉନ୍ନୟନ କାମରେ ଏତେ ତଫାତ ଲୋକେ କିପରି ସହ୍ୟ କରିବେ। ଦୁଇଟି ବୁରୁଡି ଗ୍ରାମ ଲାଗି ରହିଥିବାରୁ ଲୋକେ ଓଡିଶାରେ ଖାଦ୍ୟ ଖାଇ ଛତିଶଗଡରେ ପାଣି ପିଉଛନ୍ତି। ସରକାର ଗଠନ ପରେ ଯଦି ନୂଆ ସରକାର ଏମାନଙ୍କ ମୌଳିକ ସୁବିଧାଗୁଡ଼ିକ ପୂରଣ ନକରନ୍ତି ତେବେ ଆଗକୁ ଆନ୍ଦୋଳନ ସହ ଛତିଶଗଡରେ ମିଶିବେ ବୋଲି ଗ୍ରାମବାସୀ କହିଛନ୍ତି।