ଭୁବନେଶ୍ୱର, ହାରିଯିବା ଭୟରେ ନଗଦ ଟଙ୍କା ବାଂଟି ଭୋଟରଙ୍କୁ ପ୍ରଲୋଭନ ଦେଖାଉଛି ବିଜେଡି । ଏଥିରେ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନଙ୍କର ସିଧାସଳଖ ସଂପୃକ୍ତି ରହିଛି । ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରରୋଚନାରେ ସିଦ୍ଧାର୍ଥ ଶାହ ଓ ସମରଜିତ୍ ପଟ୍ଟନାୟକ ସମ୍ବଲପୁରର ବିହାରିପଡାର ଚନ୍ଦରପୁର ବସ୍ତିରେ ଭୋଟରଙ୍କୁ କ୍ରିକେଟ୍ କିଟ୍, ବିଭିନ୍ନ ଦେବାଳୟକୁ ମ୍ୟୁଜିକ୍ ସେଟ୍, ଯୁବକଙ୍କୁ ବିଭିନ୍ନ ପ୍ରକାର ମନଲୋଭା ଉପହାର ବାଂଟୁଛନ୍ତି । ଏନେଇ ଭିଡିଓ ଓ ଫଟୋକୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଛି ବିଜେପି ପ୍ରତିନିଧିମଣ୍ଡଳୀ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ବିଜେଡିର ନେତାମାନେ ହାରିଯିବା ଭୟରେ ବୁଥ୍ର ୨ଶହ ମିଟର ପରିସର ଭିତରେ ଖୋଲାଖୋଲି ଭାବେ ଲୋକଙ୍କୁ ଟଙ୍କା ବାଂଟି ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରୁଛନ୍ତି । ଲୋକମାନଙ୍କୁ ଧମକ, ଚମକ ଦେବା ସହିତ ହତ୍ୟା କରିବାକୁ ପଛାଉ ନାହାନ୍ତି ।
ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ । ଆଗକୁ ବାକି ଥିବା ୨ଟି ପର୍ଯ୍ୟାୟ ନିର୍ବାଚନ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା ହେବା ସହ ହିଂସା ଓ ଅପରାଧ ମୁକ୍ତ ହେବା ଦରକାର । ଏହାକୁ ଦୃଷ୍ଟିଦେବାକୁ ସିଇଓଙ୍କ ପାଖରେ ଶ୍ରୀମତୀ ମହାପାତ୍ର ଅନୁରୋଧ କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା ନନ୍ଦିନୀ ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଉନ୍ନତୀ ପରିଡା, ସଙ୍ଗୀତା ଦାସ, ବାସନ୍ତୀ ତ୍ରିପାଠୀ, ଶଶୀପ୍ରଭା ରଥ, ମିନତୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।