
ବଲାଙ୍ଗିର, ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସକାଳୁ ଭୋଟଦାନ ଆରମ୍ଭ ହୋଇଛି। ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରୁ ଲକ୍ଷ୍ମୀନାରାୟଣ ପଡା ସ୍କୁଲ ବୁଥ ରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସକାଳୁ ପ୍ରଥମେ ଆସି ନିଜ ମତଦାନ ଦେଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିଥିଲେ। ପରେ ତାଙ୍କର ପୁତ୍ର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜର ମତଦାନ କରିଥିଲେ। ବିଜେପି ଦଳର ବିଧାୟକ ପ୍ରାର୍ଥୀ ରୁଗୁଡ଼ି ପଡା ସ୍କୁଲରେ ହୋଇଥିବା ବୁଥ୍ ରେ ଗୋପାଳଜି ପାଣିଗ୍ରାହୀ ଆସି ନିଜର ମତଦାନ କରିଥିଲେ।
ବଲାଙ୍ଗିର ମହିଳା ମହାବିଦ୍ୟାଳୟ ବୁଥରେ ବଲାଙ୍ଗିର ରାଜ ପରିବାରର ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ସପରିବାରେ ଆସି ଦୀର୍ଘ ସମୟ ଧରି ଲୋକଙ୍କ ସହିତ ଧାଡି ରେ ଠିଆ ହୋଇଥିଲେ। ଅନଙ୍ଗଙ୍କ ବଡପୁଅ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ତାଙ୍କର ଭାଇ ମନ୍ମଥ ସିଂହଦେଓ ଓ ତାଙ୍କର ମାତା ବିଜୟଲକ୍ଷ୍ମୀ ସିଂଦେଓ ମହିଳା ମାନଙ୍କ ଧାଡ଼ିରେ ଠିଆ ହୋଇ ଭୋଟଦାନ କରିଥିଲେ। ବଲାଙ୍ଗିର ସହର ମଧ୍ୟରେ ହୋଇଥିବା ସଖୀ ବୁଥ ଗୁଡିକ ରେ ଆଜି ସକାଳୁ ଇଭିଏମ ମେସିନ ଗୁଡିକ ପହଁଚି ଥିଲା ତାକୁ ଲଗାଇ ଆରମ୍ଭ କଲା ବେଳକୁ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି।
ବଲାଙ୍ଗିର ମୁନସିପାଲଟି ୱ।ର୍ଡ ନମ୍ବର ୨୧ ପ୍ରୋଜେକ୍ଟ କଲୋନୀ ସ୍କୁଲରେ ହୋଇଥିବା ବୁଥ୍ ମେସିନ ଖରାପ ଯୋଗୁଁ ଦେଢ଼ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବା ବେଳେ ତା’ ସହିତ ଏଠାକାର ଦାୟିତ୍ଵରେ ଥିବା କର୍ମଚାରୀଙ୍କ ଅଭିଜ୍ଞତାର ଅଭାବରୁ ଭୋଟର୍ ମାନେ ଅନେକ ସମୟ ଧରି ଧାଡ଼ି ବାନ୍ଧି ଠିଆ ହୋଇ ରହୁଛନ୍ତି। ଘଣ୍ଟାରେ ୧୦/୧୫ ଜଣରୁ ଅଧିକ ଭୋଟର ଭୋଟ୍ ଦେଇ ନ ପାରିବାରୁ ଭୋଟର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।