-
ଭାଷଣବାଜି ଓ ପ୍ରକୃତ କାମକୁ ପରଖୁଛନ୍ତି ଭୋଟର
ପୁରୀ, ମଇ ୨୫ରେ ପୁରୀ ସଦର ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ । ବିସ୍ବ ଐତିହ୍ୟ ସହର ପୁରୀ ନିର୍ବାଚନ ସମୟରେ ବେଶ୍ ଚର୍ଚ୍ଚାରେ ରହିଛି । ଦୀର୍ଘ ୪୦ ବର୍ଷ ଧରି ପୁରୀ ସଦର ଆସନକୁ କବଜାରେ ରଖିଥିବା ହେଭି ୱେଟ ନେତା ସ୍ବର୍ଗତ ମହେଶ୍ଵର ମହାନ୍ତିଙ୍କ ପରେ ତାଙ୍କ ପୁଅ ସୁନିଲ ମହାନ୍ତି ସେହି ଧାରାକୁ ବଜାୟ ରଖିବା ପାଇଁ ପ୍ରାର୍ଥୀ ହୋଇଛନ୍ତି । ଉଚ୍ଚ ଶିକ୍ଷିତ ଓ ନମ୍ର ପ୍ରକୃତି ଯୋଗୁଁ ଅନେକ ଗ୍ରାମରେ ଭୋଟର ତାଙ୍କୁ ପସନ୍ଦ କରୁଥିବା କହିଛନ୍ତି । ପିଲାଟି ଦିନରୁ ତାଙ୍କ ଘରେ ରାଜନୈତିକ ଗୋଟି ଚାଳନା ଶୁଣି ଶୁଣି ଓ ଦେଖି ଦେଖି ସେ ବେଶ୍ ପାରଙ୍ଗମ ହୋଇଛନ୍ତି । ଗତ ନିର୍ବାଚନରେ ମହେଶ୍ଵରଙ୍କ ପାଖ ଲୋକ ତାଙ୍କୁ ଛଳନା କରି ହରାଇଥିବା ବେଳେ ଏବେ କିଛି ଅସନ୍ତୁଷ୍ଟ ନେତା ମିଛି ମିଛିକା ଫଟୋ ଉଠାଇ ସମ୍ମିଳନୀ କରି ବାହାରକୁ ଦେଖାଇ ହେଉଥିଲେ ମଧ୍ୟ ତାଙ୍କ ସମର୍ଥକଙ୍କୁ ପ୍ରଭାବିତ କରିବା ପାଇଁ କୌଣସି ଲକ୍ଷଣ ଦେଖାଉ ନଥିବା ଆଲୋଚନା ହେଉଛି । ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ରାଜନୈତିକ ଭୋଟ ଲଢେଇରେ ଅଭିଜ୍ଞ ନେତା ଉମାବଲ୍ଲବ ରଥ ଏବେ ଭିନ୍ନ ରୂପରେ ମଇଦାନରେ ଅବତୀର୍ଣ୍ଣ ହୋଇ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି । ତାଙ୍କର କିଛି ଭୋଟ ଫିକ୍ସ ଥିବାରୁ ସେଥିପ୍ରତି ଲକ୍ଷ୍ୟ ରଖି କେତେକ କୁଚକ୍ରୀ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିବା କୁହାଯାଇଛି । ଲଢୁଆ ନେତା ଭାବେ କାହାକୁ ଖାତିର ନକରି ଆକ୍ରମଣର ପରଦିନ ଶଗଡ଼ ବଳଦ ଶୋଭାଯାତ୍ରା କରି ସେ ବେଶ୍ ଦମ୍ ଦେଖାଇଛନ୍ତି । ଯଦି ନିଲୁ ଓ ସୁନିଲଙ୍କ ମଧ୍ୟରେ ଶେଷ ପର୍ଯ୍ୟାୟରେ ଲଢେଇ ଯୋରଦାର ହୁଏ ତେବେ ଶ୍ରୀରଥ ନିର୍ଣ୍ଣୟକ ଭୂମିକାରେ ରହିବେ ବୋଲି ରାଜନୈତିକ ସମୀକ୍ଷକ ମାନେ ସହରରେ ଆଲୋଚନା କରୁଛନ୍ତି ।
ଅନ୍ୟପକ୍ଷରେ ହେଭି ୱେଟ ନେତା ସ୍ଵର୍ଗତ ମହେଶ୍ଵର ମହାନ୍ତିଙ୍କୁ ଗତ ନିର୍ବାଚନରେ ପରାସ୍ତ କରି ଜୟନ୍ତ ଷଡ଼ଙ୍ଗୀ ରାଜ୍ୟରେ ନାଁ କରିଥିଲେ । ଯେଉଁ ଆଶା ଭରସା ନେଇ ଭୋଟର ତାଙ୍କୁ ବାଛିଥିଲେ । ସେହି ଆଶା ପୁରଣ ହୋଇପାରିନାହିଁ ବୋଲି ଏବେ ଭୋଟର କହୁଛନ୍ତି । ସବୁ ଦେବି ସବୁ କରିବି ସବୁ ଆଶା ପୁରଣ ହେବ ବୋଲି ଏବେ ପ୍ରଚାର କରୁଥିବା ବେଳେ ଭୋଟର ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ପରଖି ସାରିଲେଣି ବୋଲି ଚନ୍ଦନ ଚକଡ଼ାରେ ଚର୍ଚ୍ଚା କରୁଛନ୍ତି । ଗତ ନିର୍ବାଚନରେ ଉମା ରଥ ପ୍ରାର୍ଥୀ ହୋଇନଥିବା ଓ କଂଗ୍ରେସ ପ୍ରାର୍ଥୀ ଅଜଣା ଭାବେ ଉଭା ହୋଇ ସେତେ ଭୋଟ ଭିଡ଼ି ପାରିନଥିବାରୁ ସମସ୍ତ ବିରୋଧି ଭୋଟ ନିଲୁଙ୍କ ସପକ୍ଷରେ ଯାଇଥିଲା । ଏଥର ପରିସ୍ଥିତି ଅଲଗା ରହିଛି । ରାଜନୈତିକ ମଂଚରେ ଦୁଇ ପୁରୁଣା ପ୍ରାର୍ଥୀ ଥିବାବେଳେ ଜଣେ ନୂଆ ପ୍ରାର୍ଥୀ ରହିଛନ୍ତି । ବିଗତ ଦିନରେ ଜଣେ ପ୍ରାର୍ଥୀ ଭୋଟରଙ୍କୁ ଦେଖା ହୋଇନପାରି ଶୋଇପଡ଼ୁଥିôବା ଅଭିଯୋଗ ହେବାରୁ ସେ ଆଉ ୫ ଥର ପର୍ଯ୍ୟନ୍ତ ଭୋଟରଙ୍କ ପ୍ରିୟ ପାତ୍ର ହୋଇପାରି ନଥିଲେ । ଏବେ ସେହି ଅବସ୍ଥା ଜଣକର ହେବ ବୋଲି ବଡ଼ଦାଣ୍ଡରେ ଆଲୋଚନା ହେଉଛି । ଲୋକଙ୍କ ସୁଖ ଦୁଃଖରେ ଗାଁ ଉନ୍ନତିରେ ଗାଁର ସମସ୍ୟା ସମାଧାନ କରିବାରେ ସହଭାଗିତା ନଥିବାରୁ ସଦର ଅଂଚଳରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ମହେଶ୍ଵରଙ୍କ କାର୍ଯ୍ୟକଳାପ ଓ ଭୋଟରଙ୍କୁ ବାନ୍ଧି ରଖିବାର କଳା ଯୋଗୁଁ ଏବେ ଗାଁ ଗାଁରେ ଲୋକେ ତାଙ୍କୁ ଝୁରୁଛନ୍ତି । ଚଳିତ ଥର ତ୍ରିମୁଖୀ ଲଢେଇରେ କିଏ ଆଗରେ ରହିବ ତାକୁ ନେଇ ବିଭିନ୍ନ ଛକରେ ଚର୍ଚ୍ଚା ଚାଲିଛି । ତେବେ ଆଗାମୀ ଦିନରେ ଭୋଟର କାହା ମଥାରେ ବିଜୟ ତିଳକ ଲଗାଇବେ ତାହା ସମୟ କହିବ ।