ବାରିପଦା – ଆଜି ହେଉଛି ସାରଳା ବିଶ୍ୱଭାଷା ପଦଯାତ୍ରାର ସପ୍ତମ ଦିବସ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଆଜି ଆୟୋଜିତ ହୋଇଥିବା ପଦଯାତ୍ରାକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିମନ୍ୟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିବା ସହ ଆମେ ଓଡ଼ିଆ ଆମ ଭାଷା ଭାରି ବଢ଼ିଆ ଏବଂ ଭାଷା ବଂଚିଲେ ଜାତି ବଂଚିବ, ଜାତି ବଂଚିଲେ ଦେଶ ବଂଚିବାର ଆହ୍ୱାନ ଦେଇଥିଲେ । ଜାନୁଆରୀ ୭ ପୂର୍ବାହ୍ନ ୯ଟା ସମୟରେ ବାରିପଦା ସହରର ଗ୍ରାମଦେବୀ ମା ଅମ୍ବିକାଙ୍କ ମନ୍ଦିର ବେଢ଼ାରୁ ବୈଦ୍ୟୁତିକ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରଭାସ ଦାସଙ୍କ ନେତୃତ୍ୱରେ ଶତାଧିକ ଯୁବକ ଯୁବତୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଏନଏସଏସ ସ୍ୱେଚ୍ଛାସେବୀ ଓ ସମାଜସେବୀମାନେ ପଦଯାତ୍ରାରେ ବାହାରି ସହର ପରିକ୍ରମା କରି ପୌରପରିଷଦରେ ପହଂଚି ସେଠାରେ ଉକ୍ରଳମଣି ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ବନ୍ଦେ ଉକ୍ରଳ ଜନୀନୀ ସଙ୍ଗୀତ ଗାନ କରିଥିଲେ ।
ସୂଚନା ଯୋଗ୍ୟ ଯେ, ଆଦିକବି ସାରଳା ଦାସ ଓଡ଼ିଶାର ଗଜପତି ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ(୧୪୩୫-୬୬)ଙ୍କ ସମନସାମୟିକ ଥିଲେ । ତାଙ୍କ ଦ୍ୱାରା ରଚିତ ମହାଭାରତ ଗ୍ରନ୍ଥ ଅଦ୍ୟାବଧି ଓଡ଼ିଆମାନଙ୍କ ଘରେ ପୂଜା ପାଇଆସୁଛି । ପଂଚଦଶ ଶତାବ୍ଦୀରେ ଓଡ଼ିଆ ଭାଷାରେ ରଚିତ ଏହି ବିଶାଳ ଗ୍ରନ୍ଥ ସମସ୍ତ ଆଂଚଳିକ ଭାରତୀୟ ଭାଷାମାନଙ୍କଠାରୁ ପ୍ରାଚୀନ ତମ ବୋଲି ପ୍ରମାଣିତ କରାଏ । ସାରଳା ଦାସ ମଧ୍ୟ ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ, ଲକ୍ଷ୍ମୀ ନାରାୟଣ ବଚନିକା, ଚଉତିଶା ଆଦିର ରଚୟିତା । ଏଥି ସହିତ ସାରଳ ଦାସ ପୁରାଣଗୁଡ଼ିକୁ ଆଧାର କରି ଯେଉଁ ସାହିତ୍ୟ ସୃଷ୍ଟିଧାରା ଆରମ୍ଭ କରିଥିଲେ ତାର ପ୍ରଭାବ ତାଙ୍କ ସମସାମୟିକ ସହ ପରବର୍ତୀ ସାହିତ୍ୟ ସ୍ରଷ୍ଟାମାନଙ୍କୁ ପ୍ରେରଣା ଯୋଗାଇ ଦେଇଥିଲା ।