ଭୁବନେଶ୍ୱର,ନୟାଗଡରେ ବିଜେଡି କର୍ମୀଙ୍କ ଉପରେ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।
ବିଜେଡି ମୁଖପାତ୍ର ଅମିତ ମଲ୍ଲିକ କହିଛନ୍ତି ଯେ ବିଜେପି ଓ ହିଂସା ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ୱ । ଗତକାଲି ନୟାଗଡ ବ୍ଲକ ନୋଟାର ଗ୍ରାମ ପଂଚାୟତର ବାଉଳି ଗାଁର ବିଜେଡି କର୍ମୀ ପୃଥିବୀରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥଙ୍କୁ ବିଜେପିର ବନମାଳୀ ନାୟକ, ସନ୍ତୋଷ ନାୟକ, ବିଜୟ ନାୟକ, କାଶୀନାଥ ନାୟକ, ନାଲୁ ବେହେରା ଓ ଗଙ୍ଗାଧର ଜେନା ମରାଣାନ୍ତକ ଆକ୍ରମଣ କରିଥିଲେ । ଯାହାର ଫଟୋ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଛୁ । ବିଜେପି ପୂର୍ବରୁ ପିଲାଙ୍କୁ ନିର୍ବାଚନ କାମରେ ଲଗାଇବା, ସରକାରୀ ଅଧିକାରୀଙ୍କୁ ଧମକାଇବା ପରି ନିର୍ବାଚନ ଆଚରଣ ବିଧି ଉଲଂଘନ କରି ଆସୁଛି । ଯେବେ ବି ହାରିବା ଭୟ ବିଜେପିକୁ ଆସେ, ସେମାନେ ଏହିପରି କାମ କରନ୍ତି । ଆମେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସିଇଓଙ୍କୁ ଭେଟିଛୁ । ଏହି ଆକ୍ରମଣ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛୁ ।