
ସୁବର୍ଣ୍ଣପୁର, ରାଜ୍ୟ କଂଗ୍ରେସର ପରିବାର ବାଦ୍ ଓ ମନମାନୀ ପାଇଁ 2009 ନିର୍ବାଚନରୁ ଦଳର ମଙ୍ଗୁଆଳ ତଥା ବିରୋଧି ଦଳ ନେତା ଭୂପିନ୍ଦର ସିଂହ, ନବ ଦାସ, ପ୍ରଦୀପ ମାଝୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ସାଧୁ ନେପାକ, ସୁବଳ ସାହୁ ଙ୍କ ପରିବାର, ବିଧୁ ଭୂଷଣ ତ୍ରୀପାଠୀ, ଆକାଶ ମିଶ୍ରଙ୍କ ଭଳି ଗୋଟେ ପରେ ଗୋଟେ ଅଭିଜ୍ଞ ଓ ପୁରୁଖା ନେତା ସମର୍ଥକଙ୍କ ସହ ଦଳରୁ ଇସ୍ତଫା ପ୍ରଦାନ କରି ଆସୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ତଥା ବିଜୁ ବାବୁଙ୍କ ଅତି ପ୍ରିୟ ସୋନପୁରର ହ୍ୟାଟ୍ରିକ ବିଧାୟକ କୁନ୍ଦୁରୁ କୁଶଳଙ୍କୁ ପରାସ୍ତ କରି ୨୦୦୪ ରୁ ୨୦୦୯ ନିର୍ବାଚନ ପର୍ଯ୍ୟନ୍ତ ସୋନପୁର ବିଧାନସଭା କ୍ଷେତ୍ରର ବିଧାୟକ ଥିବା ବିନୋଦ ପାତ୍ର ଓ ତାଙ୍କ ବଳିଷ୍ଠ ସମର୍ଥକ ନେତା ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଉଲୁଣ୍ଡା ବ୍ଲକର ପ୍ରାକ୍ତନ ସଭାପତି ନୃସିଂହ ଚରଣ ପଣ୍ଡା, ବୀରମହାରାଜପୁର ବିଧାନସଭା କ୍ଷେତ୍ର କଂଗ୍ରେସ ପର୍ଯ୍ୟବେକ୍ଷକ ରାଜେଶ୍ କୁମାର ମିଶ୍ର (ରାଜା), ସୋନପୁର ବ୍ଲକ୍ ସଭାପତି ଲଛମନ ସୁନା, ଡୁଙ୍ଗୁରିପାଲି ବ୍ଲକ ସମ୍ପାଦକ ଲକ୍ଷ୍ମଣ ନାଗ, ଉଲୁଣ୍ଡା ବ୍ଲକ ୨ ନମ୍ବର ଜୋନ ସଭାପତି ଦୟାନିଧି ସାହୁ, ଓବିସି ସେଲ ଜିଲ୍ଲା ସଭାପତି ଲକ୍ଷ୍ମଣ ପର୍ଡ଼ିଆ ମଧ୍ୟ ଆଜି ଶ୍ରୀ ପାତ୍ରଙ୍କ ସହ ସାମୂହିକ ଇସ୍ତଫା ଦେଇ ଥିବା ବିଷୟ ସ୍ଥାନୀୟ କସ୍ତୁରୀ ଲଜରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଧାୟକ ଶ୍ରୀ ପାତ୍ର ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସରେ ଜଣେ ସକ୍ରୀୟ ଓ ଶୃଙ୍ଖଳିତ କର୍ମୀ ଭାବରେ ସେବା ପ୍ରଦାନ କରି ଆସିଥିଲେ ମଧ୍ୟ ଦଳ ତାଙ୍କ ପ୍ରତି ଉଚିତ୍ ନିଷ୍ପତ୍ତି ନେଇ ନ ଥିବା ଓ ଘୋର ଅବହେଳା କରିଥିବା କହି ସମସ୍ତ କର୍ମୀ ଇସ୍ତଫା ଦେଇଥିବା ଗଣମାଧ୍ୟମ ସମ୍ମୁଖରେ ସୁଚନା ରଖିଥିଲେ। ଶ୍ରୀ ଵିନୋଦ ପାତ୍ର ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ଭାବେ ଗତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିଥିବା ଓ ଏଥର ମଧ୍ୟ ଦୃଢ଼ ଦାବିଦାର ଥିବା ସୂଚନା ମିଳିଛି l ପ୍ରାର୍ଥୀ ଭାବେ ନାମ ଘୋଷଣା ପୂର୍ବରୁ ନିର୍ବାଚନ ପ୍ରଚାର ପ୍ରସ୍ତୁତି ପାଇଁ ଶ୍ରୀ ପାତ୍ର ଙ୍କୁ ଏକ ପେନ୍ ଡ୍ରାଇଭ ମଧ୍ୟ ଦଳ ତରଫରୁ ପ୍ରଦାନ କରା ଯାଇଥିଲା l ମାତ୍ର ଶେଷ ମୁହୂର୍ତ୍ତରେ ତାଙ୍କ ନାମ ଘୋଷଣା ନ ହୋଇ ତାଙ୍କ ପ୍ରତି ଦଳ ଅବିଚାର ଅବହେଳା କରିଥିବା, ଓଏଆଇସିସିର ନୀତି ନିୟମକୁ ପିସିସି ନେତ୍ରୁ ମଣ୍ଡଳୀ ସମ୍ପୂର୍ଣ୍ଣ ଉଲଙ୍ଘନ କରିଥିବା ପ୍ରକାଶ କରି କଂଗ୍ରେସ ଦଳରୁ ସେ ଆଜି ଇସ୍ତଫା ଦେଇଥିବା ଶ୍ରୀ ପାତ୍ର ସୁଚନା ଦେଇଛନ୍ତି । ବୁଡ଼ି ଗଲା ଗୋଡ ତଳକୁ ତଳକୁ ଭଳି ଆଜି ରାଜ୍ୟ କଂଗ୍ରେସ ତାର ସତ୍ତା ହରାଇଛି ବୋଲି ସୂଚନା ଦେଇଛନ୍ତି l