ଝାରସୁଗୁଡ଼ା- ପେସାରେ ସେ ଜଣେ ଚାଷୀ, କିନ୍ତୁ ନିଶା ହେଉଛି କଳା। ନିର୍ଜୀବ କାଠକୁ ଜୀବନ୍ତ ରୂପ ଦେବାରେ ସେ ପାରଙ୍ଗମ। ତାଙ୍କର କଳାକୁ ଦେଖିଲେ ଲାଗେ କଣ ଏହି ସେ ହଳ ଲଙ୍ଗଳ ଓ ଜମିର କାଦୁଅରେ ନିଜ ଶରୀରକୁ ମିଶେଇ ଦେଇ ସୁନାର ଫସଲ ଉପୁଜେଇ ପାରୁଥିବା ସେହି ଶକ୍ତ ହାତ। କେବେ ବିଶ୍ୱାସ ବି ହେବନି ଯେ ପର୍ଯ୍ୟନ୍ତ ଏହା କେହି ନିଜ ଆଖିରେ ନଦେଖିଛି ।ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜମଗାଁ ପଞ୍ଚାୟତ ପ୍ରଧାନ ଡେରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ। ବୟସ ୬୬ , ପେସାରେ ସେ ଜଣେ ଚାଷୀ କିନ୍ତୁ ନିଶା ତାଙ୍କର ନିଆରା।
ସେ ବହୁତ ସରଳ ସ୍ୱଭାବର ବ୍ୟକ୍ତି। ଦୁଇ ପୁଅ, ତିନି ଝିଅ, ଦୁଇ ବୋହୁଙ୍କୁ ନେଇ ତାଙ୍କର ପରିବାର। ତିନି ଝିଅ ବାହା ହୋଇ ନିଜର ସଂଶାର କରିସାରିଛନ୍ତି। ବେଶି ଚାଷ ଜମି ନଥିଲେ ମଧ୍ୟ ଯେତେକିଅଛି ସେଥିରେ ଦୁଇପୁଅ ମିଶି ଚାଷ କରନ୍ତି ଓ ପୂର୍ଣ୍ଣ ସେମାନଙ୍କୁ ଚାଷ ସମ୍ପର୍କରେ ଉଚିତ ଉପଦେଶ ଦେବା ସହିତ ଚାଷ କାମରେ ସାହାଯ୍ୟ କରନ୍ତି। ଏ ସବୁକୁ ଛାଡିଦେଲେ ତାଙ୍କର ଆଉ ଗୋଟିଏ ରୂପ ହେଉଛି ସେ ଜଣେ କଳାକାର ମଧ୍ୟ । ସେ ଏକ ଅନନ୍ୟ କଳାର ଅଧିକାରୀ। ସେ ନିର୍ଜୀବ କାଠ ଗୁଡିକୁ ନେଇ ନିଜର ଯାଦୁକାରୀ ହାତରେ ତିଆରି କରିଥାନ୍ତି ବିଭିନ୍ନ ପ୍ରକାରର କାଠର ଖେଳଣା। ସେ ତିଆରି କରି ଦିଅନ୍ତି ଵିଭିନ୍ନ ପଶୁ ପକ୍ଷୀ, ବହୁ ଦେବ ଦେବୀଙ୍କ ପ୍ରତିମା।
ପୂର୍ଣ୍ଣଚନ୍ଦ୍ର ଶିଶୁ ବେଳରୁ ଏହି କଳାର ଅଧିକାରୀ। ଛୋଟ ଥିଲା ବେଳେ ସବୁ ଛୁଆମାନେ ଖେଳ କୁଦରେ ମାତିଥିବାବେଳେ ସେ ଲାଗି ଯାଉଥିଲେ ଏପରି କିଛି କିଛି ଖେଳଣା ବନେଇବା ପାଇଁ। ସେହି ଅଭ୍ୟାସ ଆଜି ବି ତାଙ୍କର ରହିଛି। ଚାଷ କାମ ସାରି ଯେତେବେଳେ ସମସ୍ତେ ଗାଁ ରେ ତାସ ଖେଳ, ଗପସପ ତଥା ଅନ୍ୟାନ୍ୟ କାମ କରନ୍ତି କିମ୍ବା ଟିକେ ବିଶ୍ରାମ ନେବା ପାଇଁ ଯାଆନ୍ତି, ସେତେବେଳ ପୂର୍ଣ୍ଣଚନ୍ଦ୍ର ତାଙ୍କ ଘର ଦ୍ଵାରର ପିଣ୍ଡାରେ ବସି ବିଭିନ୍ନ ପ୍ରକାରର ହାତ ହତିଆର ଧରି ଗୋଟିଏ ନିର୍ଜୀବ କାଠକୁ ଜୀବଦାନ ଦେବାପାଇଁ ଲାଗିପଡ଼ନ୍ତି। ସେ କୁହନ୍ତି ଯେ, ଯେତେବେଳ ତାଙ୍କ ମନ ଵିଭିନ୍ନ ପ୍ରକାରର ସଙ୍କଳ୍ପ ଓ ଵିକଳ୍ପ ରେ ବୁଡିରହିଥାଏ, ସେତେବଳେ ସେ ଏହାକୁ ଦେଖି କିମ୍ବା ତିଆରି କଲେ ସବୁ ଦୁଃଖକୁ ଭୁଲିଯାନ୍ତି। ଖାଲି ସମୟ ଟିକେ ପାଇଲେ ସେ ଲାଗିପଡ଼ନ୍ତି ଏପରି ଜିନିଷ ତିଆରି କରିବା ପାଇଁ।ଘରେ ତାଙ୍କୁ କେହି କିଛି କୁହନ୍ତିନି। ତାଙ୍କ ବୋହୁ ସୁଭାସିନୀ କୁହନ୍ତି, ଆମେ ତାଙ୍କର ଏଭଳି କଳାପ୍ରତି ବହୁତ ଖୁସି। ଏଭଳି ଜଣେ କଳାକାରର ବୋହୂ ହେବା ଅତି ସୌଭାଗ୍ୟର କଥା। ଆମେ ତାଙ୍କର କାମରେ କେବେ ହସ୍ତକ୍ଷେପ କାରୁନା।
ପୂର୍ଣ୍ଣଚନ୍ଦ୍ରଙ୍କ ଇଚ୍ଛା ଯେ ମୋତେ ପଇସା ଦରକାର ନାହିଁ। ଗୋଟେ କଳାକାର କେବେ ପଇସା କିମ୍ବା ନାଁ ପଛରେ ଧାଇଁ ନଥାଏ। ସେ ତାର କଳାକୁ ରୂପ ଦେବାରେ ଲାଗିଥାଏ। ସେ କୁହନ୍ତି, ମୁଁ ମୋ କଳାକୁ ବିକ୍ରି କରିକି ପେଟ ପୋଷିବା ପାଇଁ ଚିନ୍ତା କରିନାହିଁ। ମୁଁ ଏହି ସବୁ କଳାକୁ ଆମ ଆଖପାଖ ଗ୍ରାମର ବିଦ୍ୟାଳୟ ଗୁଡିକୁ ଦାନ କରିବି। ମଣିଷ କିଛି ନେଇକି ଆସିନଥାଏ କି ନେଇକି ଯାଇନଥାଏ। ସବୁ ଏଠି ହିଁ ରହିଯାଇଥାଏ। ମୋ ଗଲାପରେ ମୋତେ ମନେ ରଖିବେ ଯେ ଆମ ଗ୍ରାମର ପାଖରେ ଜଣେ ଏପରି କଳାର ଅଧିକାରୀ ଥିଲେ। ସେ ଆହୁରୀ ମଧ୍ୟ କହନ୍ତି ଯେ, ଯଦି ସରକାର ଏଥିପ୍ରତି ଧ୍ୟାନ ଦେଇ ମୋତେ କିଛି ସାହାଯ୍ୟ କରନ୍ତି ଓ ଵିଭିନ୍ନ ପ୍ରକାରର ଉପକରଣ ଯୋଗାଇଦିଅନ୍ତି ତେବେ ମୁଁ ଏହି କଳାକୁ ଆଗକୁ ନେଇପାରନ୍ତି ,ତଥା ଗ୍ରାମର ବେକାର ଯୁବକ ଯୁବତୀ ମାନଙ୍କୁ ଶିଖେଇ ପାରନ୍ତି।ଯାହାଦ୍ୱାରା ସେମାନେ ଏହି କଳାକୁ ପେଶା ହିସାବରେ ଗ୍ରହଣ କରି ନିଜର ପେଟପୋଷି ପାରନ୍ତେ। ଗମ୍ଭାରୀ, ଶାଳ କାଠରେ ଏହି ସବୁ ଜିନିଷ ତିଆରି ହୋଇଥାଏ। ମାତ୍ର ଏ ସବୁ କାଠର ଏବେ ଅଭାବ ରହୁଛି।
ଗ୍ରାମର ଜଣେ ଯୁବକ କୁହନ୍ତି, ପୂର୍ଣ୍ଣଚନ୍ଦ୍ରଙ୍କୁ ମୁଁ ମୋର ଛୋଟ ସମୟରୁ ଏଭଳି କାମ କରିବା ଦେଖିଆସୁଛି। ଵିଭିନ୍ନ ସମୟରେ ମୁଁ ତାଙ୍କ ପାଖରେ ବସି ସେ କେମିତି ତିଆରି କରୁଛନ୍ତି ଦେଖେ। ସେ ଏସବୁ ତିଆରି କଲା ସମୟରେ ଏକାଗ୍ର ଓ ମନ ଧ୍ୟାନ ଦେଇ କରିଥାନ୍ତି।
ଆଜିକାଲି କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତକଳାକୁ ବହୁତ ଗୁରୁତ୍ୱ ଦେଉଛନ୍ତି। କର୍ଣ୍ଣାଟକ ରାଜ୍ୟର ଚେନ୍ନାପଟନମରେ ଏହିପରି ବହୁ କଳାକାର ସେଠିକାର ରାଜ୍ୟ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ପାଇ ସ୍ବାବଲମ୍ବୀ ହୋଇପାରିଛନ୍ତି । ଯଦି ଆମ ଜିଲ୍ଲା ପ୍ରଶାସନ ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରତି ସହଯୋଗର ହାତ ବଢ଼ାନ୍ତି ଓ ଏହି କଳାକୁ ପ୍ରୋତ୍ସାହନ ଦିଅନ୍ତି ତେବେ ସେଠାରେ ଆହୁରି ପ୍ରତିଭା ବାହାରିପାରନ୍ତେ ।